Monday, October 29, 2018

କାର୍ତ୍ତିକ ବ୍ରତ


ବର୍ଷର ବାର ମାସ ଭିତରୁ ଚାରିଟି ମାସ ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖ ହେଉଛି ଅତି ପବିତ୍ର ଓ ଧର୍ମ ମାସ  । କାର୍ତ୍ତିକ ହେଉଛି ଶ୍ରେଷ୍ଠ ଧର୍ମ ମାସ  । ଆବାଳ ବୃଦ୍ଧ ବନିତା ପ୍ରତ୍ୟୁଷରୁ ସ୍ନାନ କରି ମାସସାରା ଦେବଦର୍ଶନ କଲେ ମହାପୁଣ୍ୟ ପ୍ରାପ୍ତି ହୁଏ  । ବିଧବା ତଥା ସାଧବାମାନେ କାର୍ତ୍ତିକ ମାସରେ ହବିଷ୍ୟ ପାଳନ କରନ୍ତି  । ହବିଷ୍ୟ ପାଳନ କରୁ ନଥିବା ମହିଳା - ପୁରୁଷ ନିର୍ବିଶେଷରେ ସମସ୍ତେ ଆମିଷ ଭୋଜନ ପରିତ୍ୟାଗ କରନ୍ତି  । ହିନ୍ଦୁ ବ୍ରାହ୍ମଣ ଘରର ବିଧବାଙ୍କ ପାଇଁ ହବିଷ୍ୟ ପାଳନ ଏକ ବିଧି ଭାବେ ପ୍ରଚଳିତ  । ପ୍ରତ୍ୟୁଷରୁ ସ୍ନାନ ଓ ଦେବଦର୍ଶନ ପରେ ଏକାଠି ହୋଇ ହବିଷ୍ୟାଳିମାନେ ଚଉରା ମୂଳେ ରାଇ ଦାମୋଦର ପୂଜା କରନ୍ତି ଏବଂ କାର୍ତ୍ତିକ ମାହାତ୍ମ୍ୟ ପାଠ ବା ଶ୍ରବଣ କରନ୍ତି  । ସୂର୍ଯ୍ୟାସ୍ତ ପୂର୍ବରୁ ହବିଷ୍ୟ ପାଳନ କରନ୍ତି  । ସନ୍ଧ୍ୟାରେ ଆକାଶଦୀପ ପ୍ରଜ୍ଜ୍ୱଳନ କାର୍ତ୍ତିକ ବ୍ରତର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ  । ପିତୃଗଣଙ୍କୁ ପଥ ପ୍ରଦର୍ଶନ ଏବଂ ସେମାନଙ୍କ ଅନ୍ଧକାରାଚ୍ଛନ୍ନ ପଥକୁ ଆଲୋକିତ କରିବା ସକାଶେ ସୁଉଚ୍ଚ ସ୍ଥାନରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥାଏ  । କାର୍ତ୍ତିକ ମାସରେ ତୁଳସୀ ବୃକ୍ଷକୁ ଭକ୍ତି ସହକାରେ ଆରାଧନା କରାଯାଏ  । ଜଗନ୍ନାଥଙ୍କୁ ପ୍ରତିଦିନ ତୁଳସୀ ଲାଗି କରାଯାଏ  । କିମ୍ବଦନ୍ତୀ ଅନୁସାରେ ରାକ୍ଷସ ଜଳନ୍ଧର ନିଜ ସତୀ, ସ୍ୱାଧୀ ପତ୍ନୀ ବୃନ୍ଦାବତୀଙ୍କ ପାତିବ୍ରତ୍ୟ ବଳରେ ବଳୀୟାନ ହୋଇ ଉଠିଥିଲା  । ବୃନ୍ଦାବତୀଙ୍କ ସତୀତ୍ୱ ଅମ୍ଳାନ ରହିଥିବା ପର୍ଯ୍ୟନ୍ତ ସେ ଅଜେୟ, ଅମର ରହିଥିଲା  । କାର୍ତ୍ତିକ ମାସର ବିଶିଷ୍ଟ ଆକର୍ଷଣ ହେଲା ଚକୁଳିଆ ପଣ୍ଡାଙ୍କ ଗାଁ ଭ୍ରମଣ । ମୁଣ୍ଡରେ ତାଳପତ୍ର ଛତା, ହାତରେ ଶୁଖିଲା ଲାଡୁ ଚୋପାର ଭାଣ୍ଡ ଭିକ୍ଷାନେବା ଉଦ୍ଦେଶ୍ୟରେ ଧରା ହୋଇଥାଏ । କାର୍ତ୍ତିକ ମାସର ଦେବମନ୍ଦିର ପ୍ରାଙ୍ଗଣରେ "ସତାବଶୀ ଭାଗବତପାଠ ଅନୁଷ୍ଠିତ ହୋଇଥାଏ ।' ସମଗ୍ର କାର୍ତ୍ତିକ ମାସଟି କେବଳ ଓଡ଼ିଆ ଜାତି କାହିଁକି ହିନ୍ଦୁମାନଙ୍କ ଲାଗି ଏକ ଧର୍ମର ମାସ । କୁମାର ପୂର୍ଣ୍ଣିମାର ପନ୍ଦର ଦିନ ପରେ ଦୀପାବଳୀ ଅମାବାସ୍ୟା ପରେ । ଦଶହରାରେ ମା' ଆଦ୍ୟାଶକ୍ତି ଦୂର୍ଗାଙ୍କର, କୁମାର ପୂର୍ଣ୍ଣିମାରେ ମା'ଲକ୍ଷ୍ମୀଙ୍କର ଓ କାଳୀପୂଜାରେ ମା' କାଳୀଙ୍କର ଆରାଧନା କରାଯାଇଥାଏ । କାର୍ତ୍ତିକ ମାସର ସୋମବାର ଦିନ ଶିବଙ୍କୁ ପୂଜା କରାଯାଏ ଏବଂ ସୋମବାର ବ୍ରତ ପାଳନ କରାଯାଏ  । କାର୍ତ୍ତିକ ସୋମବାର ହବିଷ୍ୟ ପାଳନ ପୂର୍ବକ ଆଶୁତୋଷଙ୍କ ପୂଜାକଲେ ରୋଗ ଶୋକରୁ ମୁକ୍ତି ମିଳେ  । ଏହି ମାସରେ ମୃତ୍ୟୁବରଣ କଲେ ସ୍ୱର୍ଗପ୍ରାପ୍ତି ହେବାର ବିଶ୍ୱାସ ରହିଛି  । କାର୍ତ୍ତିକ ମାସର ମହତ୍ୱ ଅନ୍ୟମାସ ତୁଳନାରେ ଯେ ସ୍ରେଷ୍ଠ ତଥା ଅଧିକ ଏହା ନିଃସନ୍ଦେହରେ କୁହାଯାଇପାରେ ।

ନାଟ୍ୟସାରଥି ଅଭୟ କୁମାର ଦାସ

କାର୍ତ୍ତିକ ମାସର ମହାତ୍ମ୍ୟ ଓ କାର୍ତ୍ତିକ ବ୍ରତକଥା


ପାରମ୍ପରିକ ଓଷା, ବ୍ରତ ଓ ମେଳା ପାଳନରେ ଓଡ଼ିଶା ସମଗ୍ର ଭାରତବର୍ଷରେ ବେଶ ଆଗରେ । ଓଡ଼ିଶାରେ ପାଳିତ ଓଷା ବ୍ରତମାନଙ୍କ ମଧ୍ୟରେ କାର୍ତ୍ତିକ ମାସରେ ପାଳନ କରାଯାଉଥିବା କାର୍ତ୍ତିକ ବ୍ରତ ବେଶ୍ ମହତ୍ୱ ରଖେ । ଓଡ଼ିଶାରେ ଅଗଣିତ ଦେବାଦେବୀଙ୍କର ପୂଜା ଉପାସନା କରାଯାଇଥାଏ । ଗ୍ରାମମାନଙ୍କରେ ନିଜ ନିଜର ଗ୍ରାମ ଦେବତା ବା ଗ୍ରାମଦେବତୀ ପୂଜା ପାଇଥାନ୍ତି । ଗ୍ରାମ ଦେବତା ଓ ଗ୍ରାମ ଦେବତୀ ମାଟିର ମଣିଷ ପରି ସାଧାସିଧା । ସମସ୍ତଙ୍କ ପଛରେ ଥାଏ ନିଆରା କିମ୍ବଦନ୍ତୀ, ଭିନ୍ନ ଭିନ୍ନ ପରମ୍ପରା, ମେଳା ମଉଚ୍ଛବ । ଉକ୍ରଳୀୟ ପର୍ବପର୍ବାଣୀ ଏହି ଦୃଷ୍ଟିରୁ ମହାଭାରତୀୟ ସ୍ରୋତରୁ ଭିନ୍ନ ନୁହେଁ । ବିଶେଷତଃ ପର୍ବପର୍ବାଣୀ, ଓଷାବ୍ରତ ଓ ଯାନିଯାତ୍ରା ତିଥି, ବାର, ନକ୍ଷତ୍ର ଆଧାରରେ ପାଳିତ ହୋଇଥାଏ । ଉକ୍ରଳୀୟ ପର୍ବପର୍ବାଣୀ, ଓଷାବ୍ରତ ଗୁଡ଼ିକକୁ ମୁଖ୍ୟତଃ ୪ଟି ଭାଗରେ ଭାଗ କରାଯାଇଛି । ଯଥା ୧. ଶାସ୍ତ୍ରୀୟ, ୨. ଲୌକିକ, ୩. ଆଞ୍ଚଳିକ ଓ ୪. କୃଷି ଭିତ୍ତିକ । କୃତ୍ତିକା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚନ୍ଦ୍ର ମାସକୁ କାର୍ତ୍ତିକ ମାସ କୁହାଯାଏ । ପୌରାଣିକ ମତରେ ପରମପିତା ବ୍ରହ୍ମା ଦେବର୍ଷି ନାରଦଙ୍କୁ କାର୍ତ୍ତିକ ମାସ ବିଷୟରେ କହିଛନ୍ତି - ଦେବତାମାନଙ୍କ ମଧ୍ୟରେ ଭଗବାନ ବିଷ୍ଣୁ ତୀର୍ଥମାନଙ୍କ ମଧ୍ୟ ନାରାୟଣ ତୀର୍ଥ ବଦ୍ରିକା ଗ୍ରାମ ଏବଂ ମାସ ମାନଙ୍କ ମଧ୍ୟରେ କାର୍ତ୍ତିକ ମାସ ଶ୍ରେଷ୍ଠ ଅଟେ । ଏହା କଳି ଯୁଗରେ ଅତ୍ୟନ୍ତ ଦୁର୍ଲ୍ଲଭ । "ନା କାର୍ତ୍ତିକ ସମୋ ମାସୋ ନ କୃତେନ ସମଂ ଯୁଗମ୍ବ । ନ ବେଦ ସଦୃଶଂ ଶାସ୍ତ୍ରଂ ନ ତୀର୍ଥ ଗଙ୍ଗାୟ ସମମ୍ ।' ଅର୍ଥାତ୍ କାର୍ତ୍ତି ମାସ ପରି ମାସ ନାହିଁ, ସତ୍ୟ ଯୁଗ ପରି ଯୁଗ ନାହିଁ । ବେଦ ସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗାପରି ତୀର୍ଥ ନାହିଁ । କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କ ଅତି ପ୍ରିୟ ମାସ । ଏହି କାର୍ତ୍ତିକ ପୂର୍ଣ୍ଣମୀରେ ଭଗବାନ ବିଷ୍ଣୁ ମତ୍ସ୍ୟ ରୂପ ଧାରଣ କରି ପୃଥିବୀକୁ ରକ୍ଷା କରିଥିଲେ । ଏହା ମଧ୍ୟ ଧର୍ମୀୟ ମାସ ହୋଇଥିବାରୁ ଗାଁରୁ ସହର ଯାଏଁ ସମସ୍ତ ନରନାରୀ ଏହାକୁ ନିଷ୍ଠାର ସହିତ ପାଳନ କରିଥାନ୍ତି । କାର୍ତ୍ତିକମାସ ବ୍ରତ ମୁଖ୍ୟତଃ ବିଧବା ନାରୀମାନେ ପଳନ କରୁଥିବା ସ୍ଥଳେ ଏବେ ସଧବା ନାରୀ ଓ ପୁରୁଷମାନେ ମଧ୍ୟ ପାଳନ କରୁଥିବାର ଲକ୍ଷ୍ୟ କରାଯାଏ । ଏହି ଧର୍ମୀୟ ମାସ ମଧ୍ୟରେ ଦୀପାବଳୀରେ ଦୀପଦାନ, କାର୍ତ୍ତିକ ପୂର୍ଣ୍ଣମୀରେ ବୋଇତ ବନ୍ଦାଣ, ରାଧା ଦାମୋଦର ପୂଜା, ବାଲୁଙ୍କା ପୂଜା ଇତ୍ୟାଦି ପୂଜା କରାଯାଏ । ଯେଉଁ ବ୍ରତଧାରୀ ହବିଷ୍ୟାଳୀମାନେ ମାସ ସାରା ବ୍ରତ ପାଳନ କରି ନପାରନ୍ତି ମାସର ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମୀ ପୂର୍ଯ୍ୟନ୍ତ ଅତି ପବିତ୍ର ହୋଇଥିବାରୁ ଏହାକୁ ପାଳନ କରିଥାନ୍ତି । ଏହି ପାଞ୍ଚ ଦିନକୁ ଭୀଷ୍ମ ପଞ୍ଚକ, ବକ ପଞ୍ଚକ, ମହା ପଞ୍ଚକ ଇତ୍ୟାଦି କୁହାଯାଏ । କାର୍ତ୍ତିକ ବ୍ରତବିଧି : ବର୍ଷର ବାରମାସ ମଧ୍ୟରୁ ବୈଶାଖ, ଆଷାଢ଼, କାର୍ତ୍ତିକ ଓ ମାଘମାସ ହେଉଛି ଅତି ପବିତ୍ର ତଥା ଧର୍ମମାସ । ଏହି ପବିତ୍ର ଚାରି ଧର୍ମମାସରେ କାର୍ତ୍ତିକ ମାସର ସ୍ଥାନ ସର୍ବଶ୍ରେଷ୍ଠ । ଆବାଳ ବୃଦ୍ଧବନିତା ଏହି ଧର୍ମୀୟ ମାସକୁ ବେଶ ନିଷ୍ଠାର ସହିତ ପାଳନ କରିଥାନ୍ତି । ପ୍ରତ୍ୟୁଷରୁ ସ୍ନାନ ସାରି ଦେବ ଦର୍ଶନ କରାଯାଏ । ବିଧବା ତଥା ସଧବା ନାରୀମାନେ ହବିଷ୍ୟ ପାଳନ କରିଥାନ୍ତି । ହବିଷ୍ୟ ପାଳନ କରୁଥିବା ମହିଳା ଓ ପୁରୁଷମାନେ ମାସ ସାରା ଆମିଷ ଭୋଜନ କରନ୍ତି ନାହିଁ । ସୂର୍ଯ୍ୟାସ୍ତ ପୂର୍ବରୁ ବିନା ପିଆଜ ରସୁଣରେ ପ୍ରସ୍ତୁତ ହବିଷାନ୍ନ ଭକ୍ଷଣ କରି ବ୍ରତ ରଖିଥାନ୍ତି । ହିନ୍ଦୁ ବ୍ରାହ୍ମଣ ଘରର ବିଧବା ନାରୀମାନଙ୍କ ପାଇଁ ହବିଷ୍ୟ ପାଳନ କରିବା ଏକ ବିଧି । ପ୍ରତ୍ୟୁଷରୁ ସ୍ନାନ ଓ ଦେବ ଦର୍ଶନ ପରେ ହବିଷ୍ୟାଳୀମାନେ ଏକାଠି ହୋଇ ଚଉଁରା ମୂଳେ ରାଇ ଦାମୋଦରଙ୍କୁ ପୂଜା କରନ୍ତି । ତା ସହିତ କାର୍ତ୍ତିକ ମହାତ୍ମ୍ୟ ପଢ଼ନ୍ତି ଓ ଶ୍ରବଣ କରନ୍ତି । ସଂଧ୍ୟାରେ ଆକାଶଦୀପ ପ୍ରଜ୍ଜ୍ୱଳନ କାର୍ତ୍ତିକ ବ୍ରତର ଆଉ ଏକ ମହତ୍ୱପୂର୍ଣ୍ଣ ଅଙ୍ଗ । ଏହି ବ୍ରତ ପାଳନ ପାଇଁ ସାରା ଓଡ଼ିଶାର କୋଣ ଅନୁକୋଣରୁ ହିବଷ୍ୟାଳୀମାନେ ଆସି ଭୁବନେଶ୍ୱରରେ ବିନ୍ଦୁ ସାଗର ନିକଟରେ ତାଙ୍କର ବ୍ରତ ରଖିଥାନ୍ତି । ସେହିପରି ପବିତ୍ର ତୀର୍ଥକ୍ଷେତ୍ର ପୁରୀକୁ ବ୍ରତ ପାଇଁ ହବିଷ୍ୟାଳୀମାନେ ଧର୍ମୀୟ ମନୋଭାବ ନେଇ ଆସିଥାନ୍ତି । ହବିଷ୍ୟାଳୀମାନେ ଦୂରଦୂରାନ୍ତରୁ ଆସି ଥିବାରୁ ଓ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଓଡ଼ିଶା ରାଜ୍ୟ ସରକାର ଏମାନଙ୍କର ସୁବିଧା ପାଇଁ ଅସ୍ଥାୟୀ କ୍ୟାମ୍ପ ମାନ ସ୍ଥାପନ କରି ସୁବିଧା କରିଛନ୍ତି । କାର୍ତ୍ତିକରେ ଦୀପଦାନ : କାର୍ତ୍ତିକ ମାକାସରେ ଦୀପଦାନ ବେଶ୍ ମହତ୍ୱପୂର୍ଣ୍ଣ ଅଟେ । ଏହି ମାସରେ ପବିତ୍ର ନଦୀରେ ସ୍ନାନ କରି ନଦୀ ନିକଟସ୍ଥ ମନ୍ଦିରରେ ଦୀପଦାନ କରିବା ସହିତ ଆକାଶକୁ ମଧ୍ୟ ବିଭିନ୍ନ ବାଣ ରୋଷଣୀ ଛଡ଼ାଯାଇଥାଏ । ଏହି ଦୀପଦାନ କାର୍ଯ୍ୟଟି ଶରତ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିଥାଏ । ପିତୃପୁରୁଷଙ୍କୁ ପଥ ପ୍ରଦର୍ଶନ ଏବଂ ସେମାନଙ୍କ ଅନ୍ଧକାରଚ୍ଛନ୍ନ ପଥକୁ ଆଲୋକିତ କରିବା ସକାଶେ ସୁଉଚ୍ଚ ସ୍ଥାନରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଏ । ବିଶ୍ୱାସ ଅଛି ଯେ କାର୍ତ୍ତିକ ମାସରେ ଦୀପଦାନ କଲେ ଘରକୁ ଧନ ଆସେ । କାର୍ତ୍ତିକ ମାସରେ ଲକ୍ଷ୍ମୀଙ୍କୁ ଦୀପଦାନ କଲେ ମା'ଲକ୍ଷ୍ମୀ ଅନ୍ଧକାର ଦୂରକରି ଜୀବନକୁ ଆଲୋକିତ କରନ୍ତି । କାର୍ତ୍ତିକ ମାସରେ ମୃତ୍ୟୁ ବରଣ କଲେ ସ୍ୱର୍ଗପ୍ରାପ୍ତି ହୁଏ ବୋଲି ଲୋକବିଶ୍ୱାସ ରହିଛି । କାର୍ତ୍ତିକରେ ତୁଳସୀ ମହତ୍ୱ : କାର୍ତ୍ତିକ ବ୍ରତ ସମୟରେ ବ୍ରାହ୍ମ ମୁହୂର୍ତ୍ତରୁ ସ୍ନାନାଦି ସାରି ସୂର୍ଯ୍ୟଦେବଙ୍କୁ ଉପାସନା ଓ ତୁଳସୀ ଚଉଁରା ମୂଳେ ପାଣି ଚଢ଼ାଇଲେ ଅଶେଷ ପୁଣ୍ୟ ହୋଇଥାଏ । ଏକ ହଜାର ତୁଳସୀ ପତ୍ରରେ ଭଗବାନ ବିଷ୍ଣୁଙ୍କୁ ପୂଜା କଲେ ସେ ସନ୍ତୁଷ୍ଟ ହୋଇ ଅଶେଷ ବରଦାନ କରନ୍ତି ବୋଲି ବିଶ୍ୱାସ ଅଛି । ତୁଳସୀ ପତ୍ରକୁ ସେବନ କଲେ ଶରୀର ନିରୋଗ ରହେ । କାର୍ତ୍ତିକରେ ଦାନ : ଏହି ମାସରେ ଗରୀବଙ୍କୁ ଓ ବ୍ରାହ୍ମଣମାନଙ୍କୁ ଦାନ କଲେ ବିଶେଷ ପୁଣ୍ୟ ହୁଏ ବୋଲି ଲୋକ ବିଶ୍ୱାସ କରନ୍ତି । ବ୍ୟକ୍ତି କାର୍ତ୍ତିକ ମାସର ଦିନମାନଙ୍କରେ ତୁଳସୀ ଦାସ, ଅନ୍ନଦାନ, ଗୋଦାନ ଇତ୍ୟାଦି ଦାନ କଲେ ସର୍ବାଧିକ ପୂଣ୍ୟ ପ୍ରାପ୍ତ ହୁଏ । କାର୍ତ୍ତିକରେ ବାଣିଜ୍ୟ ଶୁଭାରମ୍ଭ : କାର୍ତ୍ତିକ ମାସରେ ବ୍ୟବସାୟର ଶୁଭାରମ୍ଭ କଲେ ବ୍ୟବସାୟ ପ୍ରତିଷ୍ଠିତ ହୁଏ ବୋଲି ବିଶ୍ୱାସ କରାଯାଏ । ଅତୀତରେ ଓଡ଼ିଆ ସାଧବ ପୁଅ କାର୍ତ୍ତିକ ପୂର୍ଣ୍ଣମୀରେ ବୋଇତ ବନ୍ଦାଣ କରି ବିଦେଶକୁ ବ୍ୟବସାୟ ପାଇଁ ଯାଉଥିଲେ ଓ ଫେରିଲା ବେଳକୁ ସାଥିରେ ଅପର୍ଯ୍ୟାପ୍ତ ଧନଦୌଲତ ଘେନି ଫେରୁଥିଲେ । ତେଣୁ ଏହି ପୂର୍ଣ୍ଣମୀ ଦିନ ସାଧବ ବୋହୂମାନେ ତାଙ୍କ ସ୍ୱାମୀମାନଙ୍କର ଶୁଭ ମନାସୀ ବୋଇତ ବନ୍ଦାଣ କରି ସ୍ୱାମୀମାନଙ୍କୁ ବ୍ୟବସାୟ ପାଇଁ ମେଲାଣି ଦେଉଥିଲେ । । ଯାହାକୁ ସ୍ମରଣୀୟ କରିବାକୁ ଆଜି ଆମ ଓଡ଼ିଶାର କଟକରେ ଗଡ଼ଗଡ଼ିଆ ଘାଟ ଓ ପାରାଦ୍ୱୀପରେ ବୋଇତ ବନ୍ଦାଣ ଉତ୍ସବରେ ପରିଣତ ହୋଇଛି । କାର୍ତ୍ତିକ ସୋମବାରରେ ହବିଷ୍ୟ ପାଳନ ପୂର୍ବକ ଆଶୁତୋଷଙ୍କୁ ପୂଜା କରାଯାଏ । ବିଶ୍ୱାସ ଅଛି ଯେ ଆଶୁତୋଷଙ୍କୁ ପୂଜା କଲେ, ରୋଗ, ଶୋକରୁ ମୁକ୍ତି ମିଳେ । କାର୍ତ୍ତିକ ପୂର୍ଣ୍ଣମୀ ଦିନ ଗଙ୍ଗାରେ ସ୍ନାନ ପରେ ଦୀପଦାନ କରି ହବିଷ ଭୋଜନ କଲେ ସବୁ କିଛି ସାଂସାରିକ ପାପତାପରୁ ମୁକ୍ତିମିଳେ । ଅନ୍ନ, ଧନ ଓ ବସ୍ତ୍ରଦାନ କଲେ ବେଶ୍ ପୁଣ୍ୟ ମିଳେ । ଶେଷରେ ବ୍ରତଧାରୀମାନେ ପୂର୍ଣ୍ଣମୀ ଦିନ ପୋଖରୀ ଓ ନଦୀରେ କଦଳୀ ପଟୁଆରେ ପାନଗୁଆ ଥୋଇ ଦୀପ ଜଳାଇ ବ୍ରତ ଭାଙ୍ଗିବା ପାଇଁ ଗାଇଥାନ୍ତି "ଆ କା ମା ବୈ, ପାନଗୁଆ ଥୋଇ, ପାନଗୁଆ ତୋର, ମାସକ ଧରମ ମୋର ।'

ଝରଣା ପଣ୍ଡା

Wednesday, October 10, 2018

ମହାଶକ୍ତି ଓ ନବଦୁର୍ଗା


ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ

"ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା, ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ' ଶକ୍ତି ଉପାସକଙ୍କ ଦୃଷ୍ଟିରେ ମହାଶକ୍ତି ହେଉଛନ୍ତି ପରବ୍ରହ୍ମ ପରମାତ୍ମା  । ସେ ସୃଜନ କରନ୍ତି, ପାଳନ କରନ୍ତି, ସଂହାର କରନ୍ତି  । ସେ ଆଦ୍ୟା ମହାଶକ୍ତି  । ତାଙ୍କର ସ୍ୱରୂପ ବିବିଧ  । ସେ ନବଦୁର୍ଗା, ଦଶ ମହାବିଦ୍ୟା, ଅନ୍ନପୂର୍ଣ୍ଣା, କାତ୍ୟାୟନୀ, ଲଳିତାମ୍ବା, ଗାୟତ୍ରୀ, ଭୁବନେଶ୍ୱରୀ, କାଳୀ, ତାରା, ବଗଳା  । ସେ ସଂହାର ପାଇଁ ମହାକାଳୀ, ବିଦ୍ୟା ଦାନ ପାଇଁ ସରସ୍ୱତୀ, ଧନ ପାଇଁ ମହାଲକ୍ଷ୍ମୀ  । ନବରାତ୍ରିର ପ୍ରଥମ ଦିନରେ ପୂଜା ପାଆନ୍ତି ଶୈଳପୁତ୍ରୀ  । "ଶୈଳ' ଅର୍ଥ ପାହାଡ଼ ଏବଂ "ପୁତ୍ରୀ' ଅର୍ଥ କନ୍ୟା  । ସେ ପାର୍ବତୀ ବା ହେମବତୀ ଭାବେ ମଧ୍ୟ ପରିଚିତ  । ଶୈଳପୁତ୍ରୀ ହେଉଛନ୍ତି ଶକ୍ତିଙ୍କ ପ୍ରଥମ ଅବତାର  । ଦ୍ୱିତୀୟ ଦିନରେ ପୂଜା ପାଆନ୍ତି ମା' ବ୍ରହ୍ମଚାରିଣୀ  । ତାଙ୍କର ଅନ୍ୟ ନାମଗୁଡ଼ିକ ହେଲା - ଉମା, ଅର୍ପର୍ଣ୍ଣା ଏବଂ ତପଶ୍ଚାରିଣୀ  । ବ୍ରହ୍ମଚାରିଣୀ ଅର୍ଥ ଚରମ ସତ୍ତାର ସାନିଧ୍ୟ ପାଇବା ଲାଗି ଯିଏ ସଦା ତପସ୍ୟାରତ  । ତୃତୀୟ ଦିବସରେ ଆରାଧନା କରାଯାଏ ମା' ଚନ୍ଦ୍ରଘଣ୍ଟାଙ୍କୁ  । ମଥାରେ ଅର୍ଦ୍ଧଚନ୍ଦ୍ରଙ୍କୁ ଧାରଣ କରୁଥିବା ହେତୁ ସେ ହେଲେ ଚନ୍ଦ୍ରଘଣ୍ଟା  । ଚତୁର୍ଥ ଦିବସରେ ଆବାହନ କରାଯାଏ ମା' କୁଷ୍ମାଣ୍ଡାଙ୍କୁ  । ସେ ଅଷ୍ଟଭୂଜା; ପୁଣି ସୃଷ୍ଟିକର୍ତ୍ତ୍ରୀ ସମଗ୍ର ବିଶ୍ୱ-ବ୍ରହ୍ମାଣ୍ଡର  । ପଞ୍ଚମ ଦିବସରେ ପୂଜା ପାଆନ୍ତି ସ୍କନ୍ଦ ମାତା  । ସେ ଦେବତାଙ୍କ ସେନାମୁଖ୍ୟ କାର୍ତ୍ତିକେୟ ବା ମୁରୁଗ ବା ସୁବ୍ରମଣ୍ୟ ବା ସ୍କନ୍ଦଙ୍କ ମାତା  । ତାଙ୍କୁ ପଦ୍ମାସନା ମଧ୍ୟ କୁହାଯାଏ  । ଷଷ୍ଠ ଦିବସରେ ପୂଜା ପାଆନ୍ତି ମାତା କାତ୍ୟାୟନୀ  । କାତ୍ୟମୁନିଙ୍କ କନ୍ୟା ଭାବେ ଜାତ ହୋଇଥିବାରୁ ସେ କାତ୍ୟାୟନୀ  । ସପ୍ତମ ଦିନରେ ଆସନ୍ତି ମା' କାଳରାତ୍ରି  । ତାଙ୍କୁ ମଧ୍ୟ କୁହାଯାଏ ଶୁଭଙ୍କରୀ  । ସେ ଯାବତୀୟ ଅଜ୍ଞାନତା ଏବଂ ଅନ୍ଧକାରର ଧ୍ୱଂସକର୍ତ୍ତ୍ରୀ  । ଅଷ୍ଟମ ଦିବସରେ ଆରାଧନା କରାଯାଏ ମା' ମହାଗୌରୀଙ୍କୁ  । ମହାଗୌରୀ ଅର୍ଥ ଯେ ବିଜୁଳି ପରି ଉଜ୍ଜ୍ୱଳ  । ନବମ ଦିବସରେ ପୂଜା ପାଆନ୍ତି ମା' ସିଦ୍ଧିଦାୟିନୀ  । ସେ ଜ୍ଞାନଦାତ୍ରୀ  । ବ୍ରହ୍ମଙ୍କୁ ଅନୁଭବ କରିବା ନିମନ୍ତେ ସେ ଦିବ୍ୟଜ୍ଞାନ ପ୍ରଦାନ କରିଥାନ୍ତି  । ଯୁଗାବତାର ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଜଗଜ୍ଜନନୀ ମା'ଦୁର୍ଗାଙ୍କର ପୂଜା ଉତ୍ସବରେ କହିଛନ୍ତି - ଭଗବତୀ ପୂଜା ମୁଁ କରେ, ତାର ଅର୍ଥ - ନିଜ ମା'ଙ୍କର ଉପାସନା କରେ, ଆଉ ଏହି ମାଆ ମୋର ଏପରି ଐଶ୍ୱର୍ଯ୍ୟଶାଳିନୀ-ଦଶ ପ୍ରହରଣୀ ଯାହାଙ୍କ ପାଖରେ ଅଚ୍ୟୁତ ଆନତି ହିଁ ମୋର ଦୁର୍ଗ, ସେହି ଆନତି ଭିତର ଦେଇ ଯେତେବେଳେ ମା'ଙ୍କ ଚରଣରେ ନିବେଦିତ ହୋଇ ସ୍ୱତଃ ସମ୍ବିତରେ, ସକ୍ରିୟତାରେ ସେତେବେଳେ ମା'ମୋର ଦୁର୍ଗତିନାଶିନୀ ଦୁର୍ଗା । ଦୁନିଆର ସବୁକିଛି ତାଙ୍କ ଠାରୁ ଉଦ୍ଭିନ୍ନ ହୋଇଉଠିଛି, ମା'ଙ୍କ ଠାରୁ ବାଦ୍ ଦିଆଯାଇପାରେ ଏପରି କିଛି ସମଗ୍ର ବିଶ୍ୱରେ ନାହିଁ । ଯାହାଙ୍କର ସମ୍ବର୍ଦ୍ଧନୀ ଉଦ୍ବେଳନରେ ବିଶ୍ୱ ପରିଭୃତ ହୋଇ ଜାଗି ଉଠେ ଏକ ନିର୍ବିଶେଷ ଚେତନାମୟୀ ଅଧ୍ୟାସ - ସେ ହିଁ ଜଗଦ୍ଧାତ୍ରୀ, କାଳୀ, ପୁଣି ଏହି ଏକକେନ୍ଦ୍ରିକ ନିବେଶ ହିଁ ମୋର ଏହି ମା', ଗର୍ଭଧାରିଣୀ-ଜନନୀ ଯାହାଙ୍କ ଠାରୁ ଉଦ୍ଭୁତ ହୋଇ ମୁଁ-ତ୍ୱ ଚେତନାରେ ସମ୍ବର୍ଦ୍ଧିତ ହୋଇଚାଲିଛି ରୂପରେ, ଗୁଣରେ, ସନ୍ତର୍ପଣରେ, ଚୁପହୋଇ ଅଚଳ ଚଳନରେ ସଚଳ ହୋଇ ନିରବିଚ୍ଛିନ୍ନତାରେ, ଆଉ ଏହା ଯେଉଁଠାରେ ସାଗ୍ନିକ, ସମ୍ବର୍ଦ୍ଧନୋଦୀପ୍ତ, ସେବାରେ ପରିରକ୍ଷଣାରେ, ପରିପୋଷଣରେ, ପରିପୂରଣ - ପରିଚେତନାରେ, ସ୍ୱତଃନିଷ୍ଠ - ଏହା ହିଁ ମା'ଙ୍କର ଜଗଜ୍ଜନନୀ ରୂପ । ଅନେକ ସ୍ଥାନରେ ଦୁର୍ଗାପୂଜାରେ ବଳିଦାନ କରାହୁଏ । ଯୁଗପୁରୁଷୋତ୍ତମ ଭଗବାନ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଏହି ବଳିଦାନକୁ ନିଷେଧ କରିଛନ୍ତି । ଯୁଗାବତାର ଭଗବାନ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କହିଲେ - ବଳି ଅର୍ଥ ଉର୍ତ୍ସଗ । ମା'ଙ୍କର ଚରଣରେ କାମନା - ବାସନା, କ୍ରୋଧ-ଲାଳସା ପ୍ରଭୃତି ବୃତ୍ତିଗୁଡ଼ିକୁ ଉତ୍ସର୍ଗ କରିବା ହିଁ ପ୍ରକୃତ ବଳିର ଅର୍ଥ । ବଳି ଶବ୍ଦ ଆସିଛି ବଲ୍ ଧାତୁ ଠାରୁ, ମାନେ ବର୍ଦ୍ଧନ । ମା'ଙ୍କର ପୂଜାରେ ଯେଉଁ ବଳି ହୁଏ ତା'ର ମାନେ ବର୍ଦ୍ଧନ, ବଳୀୟାନ ହୋଇ ଉଠିବା, ସମ୍ବର୍ଦ୍ଧିତ ହେବା, ସମସ୍ତ ରିପୁ ଗୁଡ଼ିକୁ ବିଶ୍ୱମାତାଙ୍କର ସେବାରେ ଉତ୍ସର୍ଗ କରି ବର୍ଦ୍ଧନ ପଥରେ ଆଗେଇବା ହେଉଛି ବଳିଦାନର ପ୍ରକୃତ ରହସ୍ୟ । ଶ୍ରୀ ଶ୍ରୀ ଠାକୁର ମା'ଦୁର୍ଗାଙ୍କୁ କେବେହେଲେ ମାଟିର ପ୍ରତିମା ହିସାବରେ ଦେଖିନାହାଁନ୍ତି । ପ୍ରତିମାରେ ଯାହାଙ୍କୁ ପୂଜା ହେଉଛି ସେ ହେଉଛନ୍ତି ପ୍ରତି ଘରେ ଘରେ ଦେହଧାରୀ ମା' । ନିଜ ମା'ଙ୍କ ଉପରେ ଭକ୍ତି ଓ ଭଲ ପାଇବା ଯେତେ ଜୀବନ୍ତ, ଦୁର୍ଗାପୂଜାର ସାର୍ଥକତା ତାଙ୍କ ପାଖରେ ସେତେ ବେଶୀ । ତାଙ୍କ ଅର୍ଥରେ ଭଗବତୀ ପୂଜା କରିବା ଅର୍ଥ ନିଜ ମା'ଙ୍କୁ ହିଁ ଉପାସନା କରିବା । ମା' କେବଳ ପୂଜାର ବେଦୀରେ ଦଶଭୁଜା ପ୍ରତିମା ନୁହଁନ୍ତି, ଘରେ ଘରେ ଜୀବନ୍ତ ଦ୍ୱିଭୁଜା ଜନନୀ । ଘରର ମା' ଓ ଜଗତର ମା'ଙ୍କର ଏକ ରୂପ । ଦଶଭୁଜା ଅର୍ଥ ହେଉଛି ଦୁଇ ହାତରେ ମା' ଦଶହାତର କାମ କରନ୍ତି । ମା'ଙ୍କର ଦଶହାତରେ ତ୍ରିଶୂଳ, ପାଶ, ପରଶୁ ଓ ଧନୁର୍ବାଣ ଇତ୍ୟାଦି ଦଶ ପ୍ରକାର ଅସ୍ତ୍ର ରହିଛି । ତେଣୁ ମା'ହେଉଛନ୍ତି ଦଶପ୍ରହର ଧାରିଣୀ । ଏହି ଅସ୍ତ୍ର ହେଉଛି ମାତୃ ଐଶ୍ୱର୍ଯ୍ୟର ବିଭିନ୍ନ ଶକ୍ତି ଯାହାଦ୍ୱାରା ମା' ଅସତ୍ ବା ଅସୁରଶକ୍ତିକୁ ପରାଭୂତ ଓ ପ୍ରତିହତ କରନ୍ତି ସ୍ୱୀୟ ସନ୍ତାନକୁ ରକ୍ଷା କରିବା ପାଇଁ । ମା'ଦୁର୍ଗତି ନାଶିନୀ ହୋଇ ଦଶପ୍ରହରଣ ଧାରଣ କରି ସନ୍ତାନ ସଂରକ୍ଷଣରେ ନିୟୋଜିତା । ଠାକୁର ଅନୁକୂଳଚନ୍ଦ୍ର ବିଜୟା ଉପଲକ୍ଷେ ପ୍ରଦତ୍ତ ବାଣୀରେ କହିଛନ୍ତି - ଏହି ମା'ମୋର ଐଶ୍ୱର୍ଯ୍ୟଶାଳିନୀ, ଦଶପ୍ରହରଣୀ ଯାହାଙ୍କ ପାଖରେ ଅଚ୍ୟୁତ ଆନତି ହିଁ ମୋର ଦୁର୍ଗ, ସେହି ଆନତି ଭିତର ଦେଇ ଯେତେବେଳେ ମା'ଙ୍କ ଚରଣରେ ମୁଁ ଆନତ ହୁଏ ସ୍ୱତଃସମ୍ବିତ ଓ ସକ୍ରିୟତାରେ ସେତେବେଳେ ମା'ମୋର ଦୁର୍ଗତିନାଶିନୀ ଦୁର୍ଗ । ମା'ସିଂହବାହିନୀ । ମହାପରାକ୍ରମୀ ପଶୁରାଜର ପୃଷ୍ଠରେ ମା'ଙ୍କର ଚରଣ ନ୍ୟସ୍ତ, ତାର ଅର୍ଥ ପଶୁଭାବର ଉପରେ ମାତୃଭାବର ପ୍ରତିଷ୍ଠା । ମା'ଦୁର୍ଗାଙ୍କ ଧ୍ୟାନମନ୍ତ୍ରରେ ମଧ୍ୟ ଅଛି ତାଙ୍କର ଅଷ୍ଟଶକ୍ତିର କଥା - ଉଗ୍ରଚଣ୍ଡା, ପ୍ରଚଣ୍ଡା, ଚଣ୍ଡୋଗ୍ରା, ଚଣ୍ଡନାୟିକା, ଚଣ୍ଡା, ଚଣ୍ଡବତୀ, ଚଣ୍ଡରୂପା ଓ ଅତି ଚଣ୍ଡିକା । ମା'ହେଉଛନ୍ତି ଶିବଙ୍କ ଘରଣୀ - ଶିବାନୀ ଅର୍ଥାତ୍ ମଙ୍ଗଳବିଧାୟିନୀ । ମା'ସବୁ ସନ୍ତାନଙ୍କର ମଙ୍ଗଳ କାମନା କରନ୍ତି । ସମସ୍ତଙ୍କୁ କୋଳରେ ଧରନ୍ତି । ତେଣୁ ତାଙ୍କର ଅନ୍ୟ ନାମ ଜଗଦ୍ଧାତ୍ରୀ । ଦୁନିଆର ସବୁକିଛି ଓ ସମସ୍ତଙ୍କୁ ନେଇ ମା'ହେଉଛନ୍ତି ମହାମାୟା, ବିଶ୍ୱପ୍ରସବିନୀ ଓ ବିଶ୍ୱ ପରିବ୍ୟାପ୍ତା । ତାଙ୍କର ସ୍ତୁତିରେ ତାଙ୍କୁ କ୍ଷମାରୂପେ, ନିଦ୍ରା ରୂପେ, କ୍ଷୁଧାରୂପେ, ତୃଷ୍ଣାରୂପେ, ଶକ୍ତିରୂପେ, ଲଜ୍ଜାରୂପେ, ଶାନ୍ତିରୂପେ ଓ ଶ୍ରଦ୍ଧାରୂପେ ପୂଜା କରାଯାଏ । ପରମା ପ୍ରକୃତି ସେ । ପ୍ରକୃଷ୍ଟ ଭାବେ ଯାହା କରା ହୋଇଅଛି ତାହା ହିଁ ପ୍ରକୃତି । ମା'ଦୁର୍ଗା ଅନେକ ନାମରେ ପରିଚିତା ।ତାଙ୍କର ପ୍ରତି ଗୁଣ ଓ ବୈଶିଷ୍ଟ୍ୟର ଏକ ଏକ ନାମ ହୋଇଛି । ଯଥା ନାରାୟଣୀ, ଭଦ୍ରକାଳୀ, ହୈମବତୀ, ଈଶ୍ୱରୀ, ବୈଷ୍ଣବୀ ଓ ମାହେଶ୍ୱରୀ ପ୍ରଭୃତି । ଶ୍ରୀ ଶ୍ରୀ ଠାକୁର କହିଲେ - ଭାବ ନାହିଁ, ମା'ଙ୍କୁ ବିଜୟା ଦଶମୀରେ ବିସର୍ଜ୍ଜନ ଦେଇଛ, ବରଂ ଭାବ, ଏହି ଦଶଭୁଜା, ଦଶପ୍ରହରଣ ଧାରିଣୀ, ଅସୁରଦଳନୀ ମା' ତୁମ ଠାରେ ଉତ୍ସୃଜିତ ହୋଇ ଜୀବନ୍ତ ଦୀପ୍ତିରେ ତୁମ ଜୀବନରେ ଜୀବନ୍ତ ହୋଇଉଠିଛନ୍ତି । ବିଜୟା ମା'ଙ୍କର ବିଲୟ ନୁହେଁ, ବିସର୍ଜ୍ଜନମାନେ ହେଉଛି ବିଶେଷ ବିସୃଷ୍ଟି । ସହ-ପ୍ରତିଋତ୍ୱିକ, ପ୍ରଫେସର, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ, ଦୂରଭାଷ : ୯୪୩୭୦୫୧୯୫୭

Monday, October 1, 2018

ଗୟାଶ୍ରାଦ୍ଧ


ବିପିନ ବିହାରୀ ମହାନ୍ତି
ଆଶ୍ୱିନ କୃଷ୍ଣ ପକ୍ଷକୁ ପିତୃପକ୍ଷ କୁହାଯାଏ । ଏହି ପକ୍ଷରେ
ପିତୃପୁରୁଷମାନଙ୍କୁ ତର୍ପଣ-ଶ୍ରାଦ୍ଧ ଦିଆଯାଏ । ଏହାର ଉଦ୍ଦେଶ୍ୟ :
ପିତୃପୁରୁଷଙ୍କୁ ତୃପ୍ତିଦାନ କରିବା ସହିତ ପିଣ୍ଡଦାନ ଦେଇ ତାଙ୍କ ମୋକ୍ଷଗତି
କାମନା କରିବା । ଶାସ୍ତ୍ରମତେ ତର୍ପଣ-ଶ୍ରାଦ୍ଧ ନିଜବାସଗୃହ, ପୋଖରୀ
ତୁଠ, ନଦୀକୂଳ ବା ସମୁଦ୍ରତଟମାନଙ୍କରେ ଦିଆଯାଏ । ଶ୍ରୀ ମନ୍ଦିରର
ବାଇଶି ପାହାଚ ବା ବେଢ଼ା ଭିତରେ ବି ଦିଆଯାଇପାରେ । ବିଶେଷ
ଭାବରେ ତ୍ରିବେଣୀ ତଟ, ଗୟା, ବଦ୍ରିନାଥ ଏବଂ ବ୍ରହ୍ମକୁଣ୍ଡଳ ଆଦି
ସ୍ଥାନ ଶାସ୍ତ୍ରାନୁମୋଦିତ ଉତ୍ତମ ସ୍ଥାନ ବୋଲି ଉଲ୍ଲେଖ ଅଛି । ତେବେ
ଗୟା ଶ୍ରାଦ୍ଧକୁ ଶ୍ରେଷ୍ଠତ୍ୱ ପ୍ରଦାନ କରାଯାଇଛି । ଏହା ମୋକ୍ଷ ଧାମ ନାମରେ
ନାମିତ । ଏଠାକୁ ପିତୃ ପୁରୁଷମାନେ ପିଣ୍ଡଦାନ ବା ତର୍ପଣ ଗ୍ରହଣ କରିବାକୁ
ଖୋଦ୍ ଆସିଥାନ୍ତି । ଏଠାରେ ସବୁପ୍ରକାର ଶ୍ରାଦ୍ଧ ଦିଆଯାଇପାରେ । ତେବେ
ମହାଳୟା ଶ୍ରାଦ୍ଧ ପିତୃପକ୍ଷରେ ଦେବା ବିଧି ଅଛି । ଅନ୍ୟଥା ଅନ୍ୟ
ଶ୍ରାଦ୍ଧଗୁଡ଼ିକ ଯେଉଁ ଦିନରେ ଦେବା କଥା ଏଠି ସେ ଦିନ ବା ଯେ
କୌଣସି ଦିନ ଦିଆଯାଇପାରିବ । ଯେହେତୁ ପିତୃପୁରୁଷମାନଙ୍କ ପିଣ୍ଡଦାନ
ମାଧ୍ୟମରେ ମୋକ୍ଷ କରାଯାଏ, ତେଣୁ ଯେଉଁମାନେ ତାଙ୍କ
ପିତୃପୁରୁଷମାନଙ୍କର ଶୀଘ୍ର ମୋକ୍ଷ ଚାହାଁନ୍ତି, ସେମାନେ ଗୟାରେ
ଶ୍ରାଦ୍ଧଦେବା ଉଚିତ୍ । ପିତୃପୁରୁଷମାନଙ୍କ ଉଦ୍ଧାରାର୍ଥେ ଏଠାରେ ଭଗବାନ
ବିଷ୍ଣୁ ଗଦାଧର ନାମରେ ଅନ୍ୟାନ୍ୟ ଦେବତାମାନଙ୍କ ସହ ଆସିଥାଆନ୍ତି ।
ଏଇଥିପାଇଁ ଜାଣିବା ଶୁଣିବା ହିନ୍ଦୁମାନେ ଏଠାକୁ ଆସି ପିଣ୍ଡଦାନ
କରିଥାନ୍ତି । ବାୟୂ ପୁରାଣମତେ ଗଙ୍ଗା, ପ୍ରୟାଗ, ପୁଷ୍କର ଏବଂ ଅମର
କଣ୍ଟକ ଆଦି ସ୍ଥାନରେ ପିତୃପୁରଷଙ୍କୁ ଶ୍ରାଦ୍ଧ ଦିଅନ୍ତି, ସେମାନେ
ପିତୃପୁରୁଷଙ୍କ ତୃପ୍ତି ଓ ମୋକ୍ଷ ଦାନ ଦେବା ସହିତ ନିଜକୁ ବି ପବିତ୍ର ଓ
ଧନ୍ୟମନେ କରିଥାନ୍ତି । ତେବେ ଗୟା ଶ୍ରାଦ୍ଧରେ କେବଳ ପିତାଙ୍କର
ଜନ୍ମିତ ପୁତ୍ରମାନଙ୍କ ମଧ୍ୟରୁ କେହି ଜଣେ ଦେଲେ ଚଳିବ; ଅନ୍ୟମାନେ
ଆଦୌ ନୁହଁନ୍ତି । ନିଜର ସଦ୍ଗତି କାମନା ନିମନ୍ତେ ପିତାମାନେ
ପୁତ୍ରମାନଙ୍କୁ ଜନ୍ମ ଦେଇଥାନ୍ତି, ଏମିତିକି ଏକାଧିକ, କାରଣ ସେମାନେ
ତାଙ୍କର ମୁକ୍ତିମାର୍ଗ । ସେହିପରି ମାତୃଋଣକୁ ପୁତ୍ରମାନେ ଶ୍ରାଦ୍ଧ ମାଧ୍ୟମରେ
ପରିଶୋଧ କରିଥାନ୍ତି । ଗୟାରେ ଶ୍ରାଦ୍ଧଦେବା ସ୍ଥାନଗୁଡ଼ିକ ନିର୍ଦ୍ଦିଷ୍ଟ ହୋଇଛି
ଯଥା : ଫଲଗୁନଦୀ ତଟ, ବିଷ୍ଣୁପଦ ମନ୍ଦିର ଏବଂ ଅକ୍ଷୟବଟ ତଳେ ଶ୍ରାଦ୍ଧ
ଆଦି କର୍ମ କରାଯାଏ । ତା’ ପୂର୍ବରୁ ଫାଲଗୁନ ନଦୀ, ବ୍ରାହ୍ମ ତୀର୍ଥ, ସୋମତୀର୍ଥ
ଏବଂ ରାମ ହ୍ରଦ ଇତ୍ୟାଦି ସ୍ଥାନରେ ସ୍ନାନ କରିବାକୁ ହୁଏ । ଭସ୍ମକୁଟ ଗାୟତ୍ରୀ,
ସାବିତ୍ରୀ ତଥା ସରସ୍ୱତୀରେ ତର୍ପଣ କରାଯାଏ; ନଦୀତଟରେ ଥିବା ଧର୍ମାରଣ୍ୟ,
ଧର୍ମକୂପ, ଧେନୁକାରଣ୍ୟ, ଭାରତାଶ୍ରମ, ପାଣ୍ଡୁଶିଳା ଓ କୌଶଳୀ ହ୍ରଦରେ
ଶ୍ରାଦ୍ଧ ଦିଆଯାଏ  ।ଏତଦ୍ଭିନ୍ନ ବିଷ୍ଣୁପଦ, ଅକ୍ଷୟବଟ, ତଥା ବ୍ରହ୍ମାକୁଣ୍ଡରେ
ମଧ୍ୟ ଶ୍ରାଦ୍ଧ ଦିଆଯାଏ ।
ପ୍ରାଚୀନ କାଳରୁ ଏଠାରେ ପାଖାପାଖି ୪୦୦୦ ମନ୍ଦିର ଅଛି । ଏମାନଙ୍କ
ମଧ୍ୟରେ ଅଛନ୍ତି ବିଷ୍ଣୁପଦ ମନ୍ଦିର, ବୋଧଗୟା, ମଙ୍ଗଳା ଗୌରୀ ମନ୍ଦିର,
ବାଗେଶ୍ୱରୀ ମନ୍ଦିର ... ଇତ୍ୟାଦି ସୁନାମଧନ୍ୟ ଧାର୍ମିକ ମନ୍ଦିର ସମୁହ । ଅନ୍ୟାନ୍ୟ
ଦର୍ଶନୀୟ ସ୍ଥାନ ମଧ୍ୟରେ ଅଛନ୍ତି ବରାବର ଗୁମ୍ଫା, ଅକ୍ଷୟ ବଟ, ବ୍ରାହ୍ମଯୋଡ଼ି
ପାହାଡ଼, କୋକଲତ ଜଳପ୍ରପାତ, ରାଜଗିରି ଓ ନାଳନ୍ଦା ପ୍ରଭୃତି । ଗୟା ବିହାରର
ରାଜଧାନୀ ପାଟନା ଠାରୁ ମାତ୍ର ୧୦୦ କି.ମି. ଦୂରରେ (ଫଲ୍ଗୁ ନଦୀ
କୂଳରେ) ଅବସ୍ଥାପିତ । ଏହା ସଡ଼କ ଓ ରେଳପଥ ଯୋଗେ ସଂଯୁକ୍ତ । ଗୟାକୁ
ତୀର୍ଥେଶ୍ୱର ବା ତୀର୍ଥରାଜ ବୋଲି କୁହାଯାଏ । ଏହା ପିତୃପୁରୁଷଙ୍କର ମୋକ୍ଷମାର୍ଗ ।
ଏଣୁ ପିତୃପକ୍ଷରେ ପିତୃପୁରୁଷ ଆସିବା ଏବଂ ଦେଢ଼ମାସ ଆମ ଗହଣରେ
ରହିବା ପରେ, ଆମେ ସେମାନଙ୍କୁ ଦୀପାବଳୀ ଦିନ ବିଦାୟ ଦେଇ କାଉଁରିଆ
କାଠିର ଆଲୋକରେ କହୁ : ବଡ଼ ବଡ଼ିଆ ହୋ, ଗଙ୍ଗା ଯା’, ଗୟା ଯା.....
ସ୍ୱର୍ଗେ ଯା,... ଅମୃତ ଭୋଜନ କରୁଥା । ଏଠାରେ ସେମାନଙ୍କୁ ଗୟାକୁ ନିର୍ଦ୍ଦେଶ
କରିବାର ଅର୍ଥ ଏହି ଯେ ଏହାହିଁ ମୋକ୍ଷମାର୍ଗ । ତୁମେ ସେହିବାଟେ ଯା’ ।
କିମ୍ବଦନ୍ତୀ : ଗୟାକୁ ତୀର୍ଥ ରାଜ କହିବାର କିମ୍ବଦନ୍ତୀ ଅଛି । ଏଠାରେ
ସୂର୍ଯ୍ୟଦେବତାଙ୍କ ଜ୍ୟେଷ୍ଠପୁତ୍ର ସୁଧୁମ ପୁତ୍ର ‘ଗୟା’ । ବସାଇଥିବା
କୁହାଯାଏ । ଏଠାରେ ସେ ଏକଶହ ବାର ଅଶ୍ୱମେଧ ଯଜ୍ଞ କରିଥିଲେ ।
ତାଙ୍କରି କାରଣରୁ ଏ ତୀର୍ଥର ନାମ ଗୟା ହୋଇଛି ।
ଭିନ୍ନ ଏକ କାହାଣୀ ମତେ ପ୍ରାଚୀନ କାଳରେ ଗୟାସୁର ନାମକ
ଏକ ଦାନବ ତା’ ତପବଳରେ ସମସ୍ତ ଦେବାତାମାନଙ୍କୁ ନିଜ ଆୟତ୍ତକୁ
ନେଇ ଯାଇଥିଲା । ସେମାନଙ୍କ ଉଦ୍ଧାରାର୍ଥେ ବ୍ରହ୍ମା ଯଜ୍ଞ ପାଇଁ ତା’ ଶରୀର
ଭିକ୍ଷା କଲେ । ସେ ଆନନ୍ଦର ସହିତ ଶରୀର ସମର୍ପି ଦେଲା । ଯଜ୍ଞାର୍ଥେ
ବ୍ରହ୍ମାଙ୍କ ନିର୍ଦ୍ଦେଶମତେ ଉତ୍ତରକୁ ମୁଣ୍ଡ ଏବଂ ଦକ୍ଷିଣକୁ ଗୋଡ଼ କରି ଶୟନ
କଲା । ହେଲେ ଯଜ୍ଞ ବେଳେ ତା’ ଶରୀର ଅସ୍ଥିର ହେଲା । ଏଣୁ ସମସ୍ତ
ତୀର୍ଥମାନେ ତାକୁ ମାଡ଼ିବସି ସ୍ଥିର ରଖିବାକୁ ଚେଷ୍ଟାକଲେ । ତଥାପି
ଅସମ୍ଭବ । ଏବେ ସେମାନେ ଭଗବାନ ବିଷ୍ଣୁଙ୍କୁ ନିବେଦନ କଲେ । ସେ
ଗଦାଧର ରୂପେ ଆସି ନିଜ ପାଦ ଦ୍ୱାରା ତାକୁ ଚାପି ଦେଲେ ଏବଂ
ସ୍ଥିରତା ଆସିଲା । ଯଜ୍ଞ ଚାଲିଲା । ସେତିକିବେଳେ ତା’ ଉତ୍ସର୍ଗୀକୃତ ଭାବ
ତଥା ତପ ପାଇଁ ତାକୁ ବରଦେଇ ବିଷ୍ଣୁ କହିଥିଲେ : ଏବେଠାରୁ ଏ
ସ୍ଥାନର ନାମ ହେଲା ଗୟା । ଏଠାରେ ଯିଏ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବ,
ତାର କୂଳ ଉଦ୍ଧାର ହେବ । ସେ ନିଜେ ମଧ୍ୟ ଦେହାନ୍ତେ ପରମଧାମ
ପାଇବ ।
ଭବିଷ୍ୟ ପୁରାଣମତେ ଏଠାରେ ଅକାଳମୃତ୍ୟୁ ପାଇଥିବା ବ୍ୟକ୍ତିଙ୍କୁ ଶ୍ରାଦ୍ଧଦେଲେ, ସେମାନେ ବି ମୋକ୍ଷ ପାଆନ୍ତି । ମାର୍କଣ୍ଡ ପୁରାଣମତେ
ଏଠାରେ ତର୍ପଣ-ଶ୍ରାଦ୍ଧ ଫଳରେ ପିତୃଗଣ ମୋକ୍ଷ ପାଇବା ସହ,
ଶ୍ରାଦ୍ଧକାରୀର ସୁଖ, ସମୃଦ୍ଧି, ସନ୍ତାନପ୍ରାପ୍ତି ଇତ୍ୟାଦି ଲାଭ ହୁଏ । ଶ୍ରାଦ୍ଧ
ଦାତା ପୁତ୍ର ପିତୃଋଣରୁ ମୁକ୍ତି ପାଏ । ପୁତ୍ର ହୋଇ ଅନ୍ତତଃ ଥରଟିଏ ଗୟାଯାଇ
ପିତୃପୁରୁଷଙ୍କୁ ଶ୍ରାଦ୍ଧ ନଦେବା, ଏକ ଅଧମତା ହୋଇପାରେ ।

Wednesday, May 9, 2018

ମୋହିନୀ ଏକାଦଶୀ


ସରସ୍ୱତୀ ନଦୀ କୂଳରେ ଭଦ୍ରାବତୀ ନାମକ ନଗର ଥିଲା  । ଏଠି ଧୃତିମାନ ନାମକ ରାଜା ରାଜୁତି କରୁଥିଲେ  । ଏହି ନଗରରେ ଜଣେ ବଣିଆ ରହୁଥିଲା, ତାର ନାଁ ଥିଲା ଧନପାଳ  । ସେ ଭଗବାନ ବିଷ୍ଣୁଙ୍କ ପରମ ଭକ୍ତ ଥିଲା ଏବଂ ସର୍ବଦା ପୂଣ୍ୟକର୍ମରେ ଲାଗି ରହୁଥିଲା  । ଧନପାଳର ୫ଜଣ ପୁତ୍ର ଥିଲେ ସୁମନା, ଧୃତିକାମ, ମେଧାବୀ, ସୁକୃତ ଏବଂ ଧୃଷ୍ଟବୁଦ୍ଧି  । ଧୃଷ୍ଟବୁଦ୍ଧି ସର୍ବଦା ପାପ କର୍ମରେ ଲିପ୍ତ ରହୁଥିଲା  । ଅନ୍ୟାୟ ମାର୍ଗରେ ଯାଇ ସେ ନିଜ ପିତାଙ୍କ ଧନ ବରବାଦ କରି ଦେଇଥିଲେ  । ଏଣେ ତେଣେ ବୁଲି ବୁଲି ଧୃଷ୍ଟବୁଦ୍ଧି ଶେଷରେ ମହର୍ଷି କୌଡ଼ିନ୍ୟଙ୍କ ଆଶ୍ରମରେ ପହଞ୍ôଚଲା  । ହାତଯୋଡ଼ି ମୁନିଙ୍କୁ ପୁଣ୍ୟ ପ୍ରାପ୍ତିର ମାର୍ଗ କହିବା ଲାଗି ଅନୁରୋଧ କଲା  । ମହର୍ଷି କୌଡ଼ିନ୍ୟ ତାକୁ ବିଧିପୂର୍ବକ ମୋହିନୀ ଏକାଦଶୀ ବ୍ରତ କରିବାକୁ କହିଲେ  । ଏହି ବ୍ରତ ପ୍ରଭାବରେ ସେ ନିଷ୍ପାପ ହୋଇଗଲା ଏବଂ ଗରୁଡ଼ ଉପରେ ବସି ବୈକୁଣ୍ଠପୁରକୁ ଚାଲିଗଲା  । ବୈଶାଖ ମାସ ଶୁକ୍ଳ ପକ୍ଷ ଏକାଦଶୀକୁ ମୋହିନୀ ଏକାଦଶୀ କୁହନ୍ତି  । ଏହି ବ୍ରତ ଧାରଣ କଲେ ଏକ ହଜାର ଗୋଦାନର ପୁଣ୍ୟ ପ୍ରାପ୍ତି ହୋଇଥାଏ  । ମନୁଷ୍ୟର ସମସ୍ତ ପାପ ଦୂର ହୋଇଥାଏ  । ବ୍ରତ ପ୍ରଭାବରୁ ମୋହ ଜାଲରୁ ମଧ୍ୟ ମୁକ୍ତି ମିଳିଥାଏ  । ଏଥର ୧୦ ମଇ, ଶନିବାର ମୋହିନୀ ଏକାଦଶୀ ବ୍ରତ ପଡ଼ୁଛି  । ମୋହିନୀ ଏକାଦଶୀ ତିଥିରେ ପ୍ରତ୍ୟୁଷରୁ ସ୍ନାନ କରି ଭଗବାନ ବିଷ୍ଣୁ ଏବଂ ଶ୍ରୀରାମଙ୍କ ପୂଜା କରିବା ସହ ବ୍ରତ ଧାରଣ କଲେ ଅଶେଷ ପୂଣ୍ୟ ପ୍ରାପ୍ତି ହୋଇଥାଏ  । ଓଡ଼ିଶାର ପୁରପଲ୍ଲୀରେ ଥିବା ବିଷ୍ଣୁ, ଶ୍ରୀରାମ, ଏପରିକି ଜଗନ୍ନାଥଙ୍କ ମନ୍ଦିରରେ ଏହି ଦିବସକୁ ଆଧ୍ୟାତ୍ମିକ ଭାବଧାରାରେ ପାଳନ କରାଯାଏ । ବିଶେଷକରି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ସର୍ବସମ୍ମତ ମୋହିନୀ ଏକାଦଶୀ ନୀତି ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ଏହି ଏକାଦଶୀ ସହିତ ଲକ୍ଷ୍ମୀନାରାୟଣ ବ୍ରତ ପଡ଼ୁଥିବାରୁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜା ନୀତିର ବ୍ୟବସ୍ଥା ରହିଛି । ସର୍ବସମ୍ମତ ମୋହିନୀ ଏକାଦଶୀ ଚଳିତବର୍ଷ ପୂର୍ବା ଫାଲଗୁନୀ, ସିଂହ ନକ୍ଷତ୍ରରେ ତିଥି ରହିଥିବାରୁ ଏହା ରାଜ୍ୟ ଓ ଦେଶ ପାଇଁ ଅଶେଷ ପୁଣ୍ୟ ଓ ଭାଗ୍ୟଫଳ ପ୍ରଦାନ କରିବ ବୋଲି ପଞ୍ଜିକାରେ ଲିପିବଦ୍ଧ ରହିଛି । ଏହି ଦିବସରେ ଉପବାସ ରହି ହବିଷ ଅନ୍ନ ସେବନ ପୂର୍ବକ ବ୍ରାହ୍ମଣ ମାନଙ୍କୁ ଭୋଜନ ପ୍ରଦାନ ସହ ନରନାରାୟଣ ସେବା କଲେ ବୈକୁଣ୍ଠ ପ୍ରାପ୍ତି ହୁଏ ବୋଲି ଲୋକବିଶ୍ୱାସ ରହିଛି । ଓଡ଼ିଆ ଆଧ୍ୟାତ୍ମିକ ଭାବଧାରା ଓ ଲୋକବିଶ୍ୱାସରେ ସର୍ବସମ୍ମତ ମୋହିନୀ ଏକାଦଶୀର ଆଧ୍ୟାତ୍ମିକ ତାତ୍ପର୍ଯ୍ୟ ଅତିବ ଗୁରୁତ୍ୱପୂର୍ଣ୍ଣ ।

Friday, April 13, 2018

ଉତ୍କଳୀୟ ନବବର୍ଷ : ମହାବିଷୁବ ସଂକ୍ରାନ୍ତି

୧୩/୦୪/୨୦୧୮


ସୂର୍ଯ୍ୟସ୍ଥିର । ସୂର୍ଯ୍ୟ ଚାରିପଟେ ପୃଥିବୀ ଘୁରୁଛି ଅଥଚ ସୂର୍ଯ୍ୟଙ୍କର ଅବାସ୍ତବ ଗତିକୁ ଧରି ଆମେ ସୌରବର୍ଷ ଗଣନା କରୁଛୁ । ସୂର୍ଯ୍ୟଙ୍କର ଅବାସ୍ତବ ଗତିପଥକୁ ସୌର ପଥ କୁହନ୍ତି । ଏହି ପଥ ସଂପୂର୍ଣ୍ଣ ବୃତାକାର ନ ହୋଇ ଉପବୃତାକାର ବା ଅଣ୍ଡାକାର ଅଟେ । ଏହି ଅଣ୍ଡାକାର ପଥ ରାଶି ଦୃଷ୍ଟିରୁ ବାର ଭାଗ ଅଟନ୍ତି ଏବଂ ପଦ ଦୃଷ୍ଟିରୁ ଚାରିପଦ ଅଟନ୍ତି । ଏମାନେ ବିଷ୍ଣୁପଦ ଭାବେ ନାମିତ । ଏହି ପଦଗୁଡ଼ିକ ମାର୍ଚ୍ଚ ୨୧, ଜୁନ୍ ୨୧, ସେପ୍ଟେମ୍ବର ୨୩ ଏବଂ ଡ଼ିସେମ୍ବର ୨୨ ସହିତ ସମ୍ପର୍କିତ । ମାର୍ଚ୍ଚ ୨୧ ଓ ସେପ୍ଟେମ୍ବର ୨୩ ଦିନ ସୂର୍ଯ୍ୟ ବିଷୁବ ପଦ ବା ବିଷୁବ ରେଖାଉପରେ ଅବସ୍ଥାନ କରୁଥିବାରୁ ଏହି ଦିନ ପୃଥିବୀର ସର୍ବତ୍ର ଦିବାରାତ୍ର ସମାନ ରୁହେ । ଅର୍ଥାତ୍ ସୂର୍ଯ୍ୟ ସକାଳ ୬ଟାରେ ଉଦୟ ହୋଇ ସଂଧ୍ୟା ୬ଟାରେ ବୁଡ଼ନ୍ତି । ମାର୍ଚ୍ଚ ୨୧ ତାରିଖକୁ ବାସନ୍ତୀକା ବିଷୁବ ବା ମହାବିଷୁବ କୁହାଯାଏ କାରଣ ଏହା ପ୍ରାୟତଃ ବସନ୍ତ ଋତୁରେ ପଡ଼େ । ସେପ୍ଟେମ୍ବର ୨୩କୁ ଶାରଦୀୟ ବା ଜଳ ବିଷୁବ କୁହନ୍ତି । ମହାବିଷୁବ ବା ଜଳବିଷୁବ ନିରକ୍ଷ ବୃତ ଏବଂ କ୍ରାନ୍ତିବୃତର ଗୋଟିଏ ଗୋଟିଏ ଛେଦବିନ୍ଦୁ । କ୍ରାନ୍ତି କହିଲେ ଗ୍ରହମାନଙ୍କର ଗତିପଥକୁ ବୁଝାଏ । ମାର୍ଚ୍ଚ ୨୧ ତାରିଖ ଠାରୁ ସୂର୍ଯ୍ୟଙ୍କର ବିଷୁବ ରେଖାରୁ ଉତର ଦିଗକୁ ଗତିହୁଏ ଏବଂ ଜୁନ୍ ୨୧ରେ ଯେଉଁ କାଳ୍ପନିକ ବିନ୍ଦୁ ଉପରେ ଅବସ୍ଥାନ କରନ୍ତି ତାକୁ କର୍କଟ
କ୍ରାନ୍ତି କୁହନ୍ତି । ସେହିଠାରୁ ପୁଣି ଦକ୍ଷିଣାୟନ ଗତି ଆରମ୍ଭ ହୁଏ ବିଷୁବ ରେଖା ଆଡ଼େ ଏବଂ ସେପ୍ଟେମ୍ବର ୨୩ରେ ସୂର୍ଯ୍ୟ ପୁନର୍ବାର ବିଷୁବ ରେଖା ଉପରେ ଅବସ୍ଥାନ କରନ୍ତି ଓ ପୁନର୍ବାର ଦିନରାତି ସର୍ବତ୍ର ସମାନ ରୁହେ । ଏହା ପରଠୁ ପୁଣି ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି ଡିସେମ୍ବର ୨୨ ଯାଏଁ । ତୁଳା ସଂକ୍ରାନ୍ତି ଦିନ ଠାରୁ ପୁଣି ସୂର୍ଯ୍ୟଙ୍କର ଫେରନ୍ତା ଗତି ବିଷୁବ ରେଖାକୁ ଏବଂ ୨୧ ମାର୍ଚ୍ଚ ଦିନ ପୁନଶ୍ଚ ଦିବାରାତ୍ର ସମାନ । ସଂକ୍ରାନ୍ତି ଘରକୁ ଧରି ୧୨ ରାଶିକୁ ୪ଭାଗରେ ବିଭକ୍ତ କରାଯାଇଛି । ଯଥା ବିଷୁବ : ମେଷ ଓ
ତୁଳା, ଅୟନ : କର୍କଟ ଓ ମକର , ଷଡ଼ଶୀତି : ମିଥୁନ, କନ୍ୟା, ଧନୁ ଓ ମୀନ, ଏବଂ ବିଷ୍ଣୁପଦୀ : ବୃଷ, ସିଂହ, ବିଛା ଓ କୁମ୍ଭ । ‘ଅୟନ’ କହିଳେ ନିର୍ଦ୍ଦିଷ୍ଟ ବିନ୍ଦୁର କୌଣସି ସ୍ଥାନକୁ ଗତି । ଜୁନ ୨୧ରେ ସୂର୍ଯ୍ୟ କର୍କଟ କ୍ରାନ୍ତି ଓ ଡିସେମ୍ବର ୨୨ରେ ମକର କ୍ରାନ୍ତି ଉପରେ ଅବସ୍ଥାନକରନ୍ତି । ଏହି ଦିନଗୁଡ଼ିକରେ ଯଥାକ୍ରମେ ଉତର ଓ ଦକ୍ଷିଣ ଗୋଲାର୍ଦ୍ଧରେ ଦିନବଡ଼ ଏବଂ ବିପରୀତ କ୍ରମେ ଗତି ଅବସ୍ଥାନ ନେଇ ରାତି ଛୋଟ । ସଂକ୍ରାନ୍ତି ଏକ ପବିତ୍ର ଦିବସ । ଏହିଦିନ ବ୍ରତ, ଉପବାସ ଏବଂ ଦାନ ଧର୍ମ କଲେ ପୁଣ୍ୟଫଳ ମିଳେ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି । ସବୁ ସଂକ୍ରାନ୍ତି ଅପେକ୍ଷା ମହାବିଷୁବ ସଂକ୍ରାନ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ସୂର୍ଯ୍ୟପୂଜନର ଏକ ମାହେନ୍ଦ୍ର ମୁହୂର୍ତ । ଆମେ ତାଙ୍କୁ ନିମ୍ନମତେ ପ୍ରାର୍ଥନା କରୁ : ହେ ସୂର୍ଯ୍ୟଦେବ! ଆଜି ଉଦୟ ହେବା ସଂଗେ ସଂଗେ ଆପଣ ଆମକୁ ନିଷ୍ପାପ କରି ଦିଅନ୍ତୁ । ହେ ଅଦିତେ, ଆମେ ମିତ୍ରବରୁଣା ଦେବଙ୍କର ପ୍ରିୟପାତ୍ର ହେଉ । ହେ ଆଦ୍ୟମିନ୍ (ଦାତା)! ଆମେ ଆପଣଙ୍କର କୃପାର ପ୍ରିୟପାତ୍ର ହେଉ । ହେ ଆର୍ଯ୍ୟମାନ୍! ଆପଣଙ୍କର କୃପାଲାଭ କରିବା ପାଇଁ ଆମେ ପ୍ରାର୍ଥନା କରୁଛୁ । ଆସନ୍ତୁ ଆମେ ସେହି ସୂର୍ଯ୍ୟଙ୍କୁ ଉପଲବ୍ଧ କରିବା, ସେ ଆଲୋକ ପ୍ରଦାନକାରୀଙ୍କୁ ଧ୍ୟାନ କରିବା । ଅଦିତିଙ୍କ ପୁତ୍ର ଆଦିତ୍ୟ ଆମକୁ ଜ୍ଞାନାଲୋକରେ ଭାସ୍କର କରନ୍ତୁ । ଭାସ୍କରାୟ ବିଦ୍ମହେ ମହଦ୍ୟୁତିକରାୟ ଧୀମହି, ତନ୍ମୋ ଆଦିତ୍ୟଃ ପ୍ରଚୋଦୟାତ୍ । (ଗାୟତ୍ରୀ) ବିଷୁବ ସଂକ୍ରାନ୍ତି ଦିନ ସୂର୍ଯ୍ୟଙ୍କର ଅବାସ୍ତବ ଉତରାୟଣ ଗତି ଆରମ୍ଭ ହୁଏ । ରାଶିଚକ୍ରରେ ଏହାହିଁ ପ୍ରଥମ ଦିନ । ଏହା ମଧ୍ୟ ମେଷରାଶିର ପ୍ରଥମ ଦିବସ । ଭାରତୀୟ ପ୍ରାମାଣିକ ସମୟର ସମୟ ନିର୍ଘଣ୍ଟ ମେଷ ସଂକ୍ରାନ୍ତି ରୂପେ ବିଦିତ ।
ଏହିଦିନ ସର୍ବ ନିୟନ୍ତା ସର୍ବ ପ୍ରାଣ ଏବଂ ସର୍ବକର୍ତା ମହିମମୟ ସୂର୍ଯ୍ୟଙ୍କର ସ୍ୱାଗତିକା ଗାନ କରାଯାଏ । ତାଙ୍କ ସ୍ୱାଗତିକା ପାଇଁ କି ମଠ ! କି ମନ୍ଦିର! କି ହିନ୍ଦୁଗୃହ ଚଳ ଚଂଚଳ ହୋଇଉଠେ । ନୂତନ ପୋଷାକ ପରିଧାନ ପୂର୍ବକ ଆମେ ତାଙ୍କୁ ସ୍ୱାଗତ କରୁ । ଓଡ଼ିଆ ସଂସ୍କୃତି ଜଗନ୍ନାଥ ସଂସ୍କୃତିକୁ ବୁଝାଏ । ଏଣୁ ଶ୍ରୀ ମନ୍ଦିରରୁ ହିଁ ସବୁ ଆରମ୍ଭ । ପ୍ରତ୍ୟୁଷରୁ ପାରମ୍ପରିକ ରୀତିରେ ପଣା ପ୍ରସ୍ତୁତ ହୁଏ । ଗ୍ରୀଷ୍ମର ଆଦ୍ୟ ହେତୁ ପଣାରେ ଥଣ୍ଡା ଏବଂ ସ୍ୱାସ୍ଥ୍ୟକର ଦ୍ରବ୍ୟ ବ୍ୟବହାର କରାଯାଏ । ବିଶେଷକରି କଂଚା ଆମ୍ବ, ପାଚିଲା ଆମ୍ବରସ, ପାଚିଲା ବେଲ, ନଡ଼ିଆ, ଛେନା, କ୍ଷୀର, ଦହି, ନବାତ, ଗୁଡ଼, ଆଖୁରସ, ଗୋଲମରିଚ, କାଜୁ, କିସ୍ମିସ୍, ସାକରକନ୍ଦ ଏବଂ ଅନେକ କିଛି  । ଏହିଦିନ ସାଂଗସାଥୀ ଏବଂ ବନ୍ଧୁବାନ୍ଧବମାନଙ୍କୁ ଘରକୁ ସ୍ୱାଗତ କରି ପଣାରେ ଆପ୍ୟାୟିତ କରାଯାଏ । ଏହା ଏକ ଦିବସ ବ୍ୟାପୀ କାର୍ଯ୍ୟକ୍ରମର ସାମାଜିକ ପର୍ବ । ସଂଧ୍ୟାକୁ ବିଭିନ୍ନ ସ୍ଥାନରେ ସାହିତ୍ୟ ଚର୍ଚ୍ଚା, କବିତା ପାଠୋତ୍ସବ, ସଂଗୀତ ଆସର ଏବଂ ନୃତ୍ୟଗୀତ ଇତ୍ୟାଦିର ଆୟୋଜନ ହୋଇଥାଏ । ପଦ୍ମପୁରାଣ , ସ୍କନ୍ଦ ପୁରାଣ, ମତ୍ସ୍ୟ ପୁରାଣ, ଭବିଷ୍ୟ ପୁରାଣ, ବ୍ରହ୍ମାଣ୍ଡ ପୁରାଣ, ଜ୍ୟୋତି ଏବଂ ଆୟୁର୍ବେଦ ଶାସ୍ତ୍ରମାନଙ୍କରେ ମଧ୍ୟ ମହାବିଷୁବ ସଂକ୍ରାନ୍ତିର ପ୍ରଶସ୍ତିଗାନ କରାଯାଇଛି । ଆୟୁର୍ବେଦ ଶାସ୍ତ୍ରରେ ଚିକିତ୍ସା ସଂପର୍କରେ ଲେଖାଅଛି : ମସୁରଂ ନିମ୍ବପତଂ ଚ ଯୋଽଭି ମେଷଗତେରବୌ ଅତି ରୋଷାନ୍ୱିତସ୍ତସ୍ୟ ତକ୍ଷକଃ କିଂ କରିଷ୍ୟତି ।ା ଅର୍ଥାତ୍ ମେଷ ସଂକ୍ରାନ୍ତି (ମହାବିଷୁବ) ଦିନ ସମପରିମାଣ ମସୁର ଓ ନିମ୍ବପତ୍ର ଚୋବାଇ ଖାଇଲେ, ବର୍ଷେଯାଏ ବିଷାକ୍ତ ସର୍ପର ଦଂଶନକୁ ରୋକିବାର ଶକ୍ତି ଲାଭ ହୁଏ । ମହାବିଷୁବ (ବାସନ୍ତୀକା) ସଂକ୍ରାନ୍ତିକୁ ଓଡ଼ିଶାରେ ପଣାସଂକ୍ରାନ୍ତି, ବଙ୍ଗଳାରେ ଚୈତ୍ର ସଂକ୍ରାନ୍ତି, ଉତର ଭାରତରେ .... ସଂକ୍ରାନ୍ତି, କେରଳରେ ବିଷୁ, ପଞ୍ଜାବରେ ବୈଶାଖି, ମଣିପୁରରେ ଚୈରୋବା, ତାମିଲ ନାଡ଼ୁରେ ମୋଷାତି ଇତ୍ୟାଦି ନାମରେ ପାଳିତ ହୁଏ । ଓଡ଼ିଶା ନବବର୍ଷ ଏହି ସଂକ୍ରାନ୍ତି ଠାରୁ ଆରମ୍ଭ ହୁଏ । ଏହି ଦିନଠାରୁ ବାର୍ଷିକ ପାଞ୍ଜିର ଆରମ୍ଭ । ଗାଁ ଗହଳିରେ ପାଞ୍ଜିପାଠ ହୁଏ । ସୂର୍ଯ୍ୟ ଓ ଅଗ୍ନିଙ୍କର ସଂପର୍କ ଏକାକାର ହେତୁ ଓଡ଼ିଶାରେ ନିଆଁରେ ଚାଲିବା ଝାମୁଯାତ୍ରା, ଦଣ୍ଡନୃତ୍ୟ, ଘଂଟ ପାଟୁଆ ଏଂ ଆଦିବାସୀ ପରମ୍ପରାରେ ‘କେଡ଼’ ଓ ଝଙ୍ଗଡ଼ି ପର୍ବ ସାନ୍ତାଳମାନଙ୍କର ପାଟ ପର୍ବ ଓ ଶିକାର ପର୍ବ ଇତ୍ୟାଦି ସୂର୍ଯ୍ୟଙ୍କ ସମର୍ପିତ ପର୍ବ । ଏହା ଓଡ଼ିଶାର ପରମ୍ପରା ଓ ସଂସ୍କୃତିର ଏକ ଆନନ୍ଦ ଓ ଉଲ୍ଲାସର ଦିନ ତଥା ହିନ୍ଦୁମାନଙ୍କର ଏକ ମହାନ ପର୍ବ