ବର୍ଷର ବାର ମାସ ଭିତରୁ ଚାରିଟି ମାସ ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖ ହେଉଛି ଅତି ପବିତ୍ର ଓ ଧର୍ମ ମାସ । କାର୍ତ୍ତିକ ହେଉଛି ଶ୍ରେଷ୍ଠ ଧର୍ମ ମାସ । ଆବାଳ ବୃଦ୍ଧ ବନିତା ପ୍ରତ୍ୟୁଷରୁ ସ୍ନାନ କରି ମାସସାରା ଦେବଦର୍ଶନ କଲେ ମହାପୁଣ୍ୟ ପ୍ରାପ୍ତି ହୁଏ । ବିଧବା ତଥା ସାଧବାମାନେ କାର୍ତ୍ତିକ ମାସରେ ହବିଷ୍ୟ ପାଳନ କରନ୍ତି । ହବିଷ୍ୟ ପାଳନ କରୁ ନଥିବା ମହିଳା - ପୁରୁଷ ନିର୍ବିଶେଷରେ ସମସ୍ତେ ଆମିଷ ଭୋଜନ ପରିତ୍ୟାଗ କରନ୍ତି । ହିନ୍ଦୁ ବ୍ରାହ୍ମଣ ଘରର ବିଧବାଙ୍କ ପାଇଁ ହବିଷ୍ୟ ପାଳନ ଏକ ବିଧି ଭାବେ ପ୍ରଚଳିତ । ପ୍ରତ୍ୟୁଷରୁ ସ୍ନାନ ଓ ଦେବଦର୍ଶନ ପରେ ଏକାଠି ହୋଇ ହବିଷ୍ୟାଳିମାନେ ଚଉରା ମୂଳେ ରାଇ ଦାମୋଦର ପୂଜା କରନ୍ତି ଏବଂ କାର୍ତ୍ତିକ ମାହାତ୍ମ୍ୟ ପାଠ ବା ଶ୍ରବଣ କରନ୍ତି । ସୂର୍ଯ୍ୟାସ୍ତ ପୂର୍ବରୁ ହବିଷ୍ୟ ପାଳନ କରନ୍ତି । ସନ୍ଧ୍ୟାରେ ଆକାଶଦୀପ ପ୍ରଜ୍ଜ୍ୱଳନ କାର୍ତ୍ତିକ ବ୍ରତର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ । ପିତୃଗଣଙ୍କୁ ପଥ ପ୍ରଦର୍ଶନ ଏବଂ ସେମାନଙ୍କ ଅନ୍ଧକାରାଚ୍ଛନ୍ନ ପଥକୁ ଆଲୋକିତ କରିବା ସକାଶେ ସୁଉଚ୍ଚ ସ୍ଥାନରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥାଏ । କାର୍ତ୍ତିକ ମାସରେ ତୁଳସୀ ବୃକ୍ଷକୁ ଭକ୍ତି ସହକାରେ ଆରାଧନା କରାଯାଏ । ଜଗନ୍ନାଥଙ୍କୁ ପ୍ରତିଦିନ ତୁଳସୀ ଲାଗି କରାଯାଏ । କିମ୍ବଦନ୍ତୀ ଅନୁସାରେ ରାକ୍ଷସ ଜଳନ୍ଧର ନିଜ ସତୀ, ସ୍ୱାଧୀ ପତ୍ନୀ ବୃନ୍ଦାବତୀଙ୍କ ପାତିବ୍ରତ୍ୟ ବଳରେ ବଳୀୟାନ ହୋଇ ଉଠିଥିଲା । ବୃନ୍ଦାବତୀଙ୍କ ସତୀତ୍ୱ ଅମ୍ଳାନ ରହିଥିବା ପର୍ଯ୍ୟନ୍ତ ସେ ଅଜେୟ, ଅମର ରହିଥିଲା । କାର୍ତ୍ତିକ ମାସର ବିଶିଷ୍ଟ ଆକର୍ଷଣ ହେଲା ଚକୁଳିଆ ପଣ୍ଡାଙ୍କ ଗାଁ ଭ୍ରମଣ । ମୁଣ୍ଡରେ ତାଳପତ୍ର ଛତା, ହାତରେ ଶୁଖିଲା ଲାଡୁ ଚୋପାର ଭାଣ୍ଡ ଭିକ୍ଷାନେବା ଉଦ୍ଦେଶ୍ୟରେ ଧରା ହୋଇଥାଏ । କାର୍ତ୍ତିକ ମାସର ଦେବମନ୍ଦିର ପ୍ରାଙ୍ଗଣରେ "ସତାବଶୀ ଭାଗବତପାଠ ଅନୁଷ୍ଠିତ ହୋଇଥାଏ ।' ସମଗ୍ର କାର୍ତ୍ତିକ ମାସଟି କେବଳ ଓଡ଼ିଆ ଜାତି କାହିଁକି ହିନ୍ଦୁମାନଙ୍କ ଲାଗି ଏକ ଧର୍ମର ମାସ । କୁମାର ପୂର୍ଣ୍ଣିମାର ପନ୍ଦର ଦିନ ପରେ ଦୀପାବଳୀ ଅମାବାସ୍ୟା ପରେ । ଦଶହରାରେ ମା' ଆଦ୍ୟାଶକ୍ତି ଦୂର୍ଗାଙ୍କର, କୁମାର ପୂର୍ଣ୍ଣିମାରେ ମା'ଲକ୍ଷ୍ମୀଙ୍କର ଓ କାଳୀପୂଜାରେ ମା' କାଳୀଙ୍କର ଆରାଧନା କରାଯାଇଥାଏ । କାର୍ତ୍ତିକ ମାସର ସୋମବାର ଦିନ ଶିବଙ୍କୁ ପୂଜା କରାଯାଏ ଏବଂ ସୋମବାର ବ୍ରତ ପାଳନ କରାଯାଏ । କାର୍ତ୍ତିକ ସୋମବାର ହବିଷ୍ୟ ପାଳନ ପୂର୍ବକ ଆଶୁତୋଷଙ୍କ ପୂଜାକଲେ ରୋଗ ଶୋକରୁ ମୁକ୍ତି ମିଳେ । ଏହି ମାସରେ ମୃତ୍ୟୁବରଣ କଲେ ସ୍ୱର୍ଗପ୍ରାପ୍ତି ହେବାର ବିଶ୍ୱାସ ରହିଛି । କାର୍ତ୍ତିକ ମାସର ମହତ୍ୱ ଅନ୍ୟମାସ ତୁଳନାରେ ଯେ ସ୍ରେଷ୍ଠ ତଥା ଅଧିକ ଏହା ନିଃସନ୍ଦେହରେ କୁହାଯାଇପାରେ ।
ନାଟ୍ୟସାରଥି ଅଭୟ କୁମାର ଦାସ
No comments:
Post a Comment