ପାରମ୍ପରିକ ଓଷା, ବ୍ରତ ଓ ମେଳା ପାଳନରେ ଓଡ଼ିଶା ସମଗ୍ର ଭାରତବର୍ଷରେ ବେଶ ଆଗରେ । ଓଡ଼ିଶାରେ ପାଳିତ ଓଷା ବ୍ରତମାନଙ୍କ ମଧ୍ୟରେ କାର୍ତ୍ତିକ ମାସରେ ପାଳନ କରାଯାଉଥିବା କାର୍ତ୍ତିକ ବ୍ରତ ବେଶ୍ ମହତ୍ୱ ରଖେ । ଓଡ଼ିଶାରେ ଅଗଣିତ ଦେବାଦେବୀଙ୍କର ପୂଜା ଉପାସନା କରାଯାଇଥାଏ । ଗ୍ରାମମାନଙ୍କରେ ନିଜ ନିଜର ଗ୍ରାମ ଦେବତା ବା ଗ୍ରାମଦେବତୀ ପୂଜା ପାଇଥାନ୍ତି । ଗ୍ରାମ ଦେବତା ଓ ଗ୍ରାମ ଦେବତୀ ମାଟିର ମଣିଷ ପରି ସାଧାସିଧା । ସମସ୍ତଙ୍କ ପଛରେ ଥାଏ ନିଆରା କିମ୍ବଦନ୍ତୀ, ଭିନ୍ନ ଭିନ୍ନ ପରମ୍ପରା, ମେଳା ମଉଚ୍ଛବ । ଉକ୍ରଳୀୟ ପର୍ବପର୍ବାଣୀ ଏହି ଦୃଷ୍ଟିରୁ ମହାଭାରତୀୟ ସ୍ରୋତରୁ ଭିନ୍ନ ନୁହେଁ । ବିଶେଷତଃ ପର୍ବପର୍ବାଣୀ, ଓଷାବ୍ରତ ଓ ଯାନିଯାତ୍ରା ତିଥି, ବାର, ନକ୍ଷତ୍ର ଆଧାରରେ ପାଳିତ ହୋଇଥାଏ । ଉକ୍ରଳୀୟ ପର୍ବପର୍ବାଣୀ, ଓଷାବ୍ରତ ଗୁଡ଼ିକକୁ ମୁଖ୍ୟତଃ ୪ଟି ଭାଗରେ ଭାଗ କରାଯାଇଛି । ଯଥା ୧. ଶାସ୍ତ୍ରୀୟ, ୨. ଲୌକିକ, ୩. ଆଞ୍ଚଳିକ ଓ ୪. କୃଷି ଭିତ୍ତିକ । କୃତ୍ତିକା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚନ୍ଦ୍ର ମାସକୁ କାର୍ତ୍ତିକ ମାସ କୁହାଯାଏ । ପୌରାଣିକ ମତରେ ପରମପିତା ବ୍ରହ୍ମା ଦେବର୍ଷି ନାରଦଙ୍କୁ କାର୍ତ୍ତିକ ମାସ ବିଷୟରେ କହିଛନ୍ତି - ଦେବତାମାନଙ୍କ ମଧ୍ୟରେ ଭଗବାନ ବିଷ୍ଣୁ ତୀର୍ଥମାନଙ୍କ ମଧ୍ୟ ନାରାୟଣ ତୀର୍ଥ ବଦ୍ରିକା ଗ୍ରାମ ଏବଂ ମାସ ମାନଙ୍କ ମଧ୍ୟରେ କାର୍ତ୍ତିକ ମାସ ଶ୍ରେଷ୍ଠ ଅଟେ । ଏହା କଳି ଯୁଗରେ ଅତ୍ୟନ୍ତ ଦୁର୍ଲ୍ଲଭ । "ନା କାର୍ତ୍ତିକ ସମୋ ମାସୋ ନ କୃତେନ ସମଂ ଯୁଗମ୍ବ । ନ ବେଦ ସଦୃଶଂ ଶାସ୍ତ୍ରଂ ନ ତୀର୍ଥ ଗଙ୍ଗାୟ ସମମ୍ ।' ଅର୍ଥାତ୍ କାର୍ତ୍ତି ମାସ ପରି ମାସ ନାହିଁ, ସତ୍ୟ ଯୁଗ ପରି ଯୁଗ ନାହିଁ । ବେଦ ସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗାପରି ତୀର୍ଥ ନାହିଁ । କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କ ଅତି ପ୍ରିୟ ମାସ । ଏହି କାର୍ତ୍ତିକ ପୂର୍ଣ୍ଣମୀରେ ଭଗବାନ ବିଷ୍ଣୁ ମତ୍ସ୍ୟ ରୂପ ଧାରଣ କରି ପୃଥିବୀକୁ ରକ୍ଷା କରିଥିଲେ । ଏହା ମଧ୍ୟ ଧର୍ମୀୟ ମାସ ହୋଇଥିବାରୁ ଗାଁରୁ ସହର ଯାଏଁ ସମସ୍ତ ନରନାରୀ ଏହାକୁ ନିଷ୍ଠାର ସହିତ ପାଳନ କରିଥାନ୍ତି । କାର୍ତ୍ତିକମାସ ବ୍ରତ ମୁଖ୍ୟତଃ ବିଧବା ନାରୀମାନେ ପଳନ କରୁଥିବା ସ୍ଥଳେ ଏବେ ସଧବା ନାରୀ ଓ ପୁରୁଷମାନେ ମଧ୍ୟ ପାଳନ କରୁଥିବାର ଲକ୍ଷ୍ୟ କରାଯାଏ । ଏହି ଧର୍ମୀୟ ମାସ ମଧ୍ୟରେ ଦୀପାବଳୀରେ ଦୀପଦାନ, କାର୍ତ୍ତିକ ପୂର୍ଣ୍ଣମୀରେ ବୋଇତ ବନ୍ଦାଣ, ରାଧା ଦାମୋଦର ପୂଜା, ବାଲୁଙ୍କା ପୂଜା ଇତ୍ୟାଦି ପୂଜା କରାଯାଏ । ଯେଉଁ ବ୍ରତଧାରୀ ହବିଷ୍ୟାଳୀମାନେ ମାସ ସାରା ବ୍ରତ ପାଳନ କରି ନପାରନ୍ତି ମାସର ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମୀ ପୂର୍ଯ୍ୟନ୍ତ ଅତି ପବିତ୍ର ହୋଇଥିବାରୁ ଏହାକୁ ପାଳନ କରିଥାନ୍ତି । ଏହି ପାଞ୍ଚ ଦିନକୁ ଭୀଷ୍ମ ପଞ୍ଚକ, ବକ ପଞ୍ଚକ, ମହା ପଞ୍ଚକ ଇତ୍ୟାଦି କୁହାଯାଏ । କାର୍ତ୍ତିକ ବ୍ରତବିଧି : ବର୍ଷର ବାରମାସ ମଧ୍ୟରୁ ବୈଶାଖ, ଆଷାଢ଼, କାର୍ତ୍ତିକ ଓ ମାଘମାସ ହେଉଛି ଅତି ପବିତ୍ର ତଥା ଧର୍ମମାସ । ଏହି ପବିତ୍ର ଚାରି ଧର୍ମମାସରେ କାର୍ତ୍ତିକ ମାସର ସ୍ଥାନ ସର୍ବଶ୍ରେଷ୍ଠ । ଆବାଳ ବୃଦ୍ଧବନିତା ଏହି ଧର୍ମୀୟ ମାସକୁ ବେଶ ନିଷ୍ଠାର ସହିତ ପାଳନ କରିଥାନ୍ତି । ପ୍ରତ୍ୟୁଷରୁ ସ୍ନାନ ସାରି ଦେବ ଦର୍ଶନ କରାଯାଏ । ବିଧବା ତଥା ସଧବା ନାରୀମାନେ ହବିଷ୍ୟ ପାଳନ କରିଥାନ୍ତି । ହବିଷ୍ୟ ପାଳନ କରୁଥିବା ମହିଳା ଓ ପୁରୁଷମାନେ ମାସ ସାରା ଆମିଷ ଭୋଜନ କରନ୍ତି ନାହିଁ । ସୂର୍ଯ୍ୟାସ୍ତ ପୂର୍ବରୁ ବିନା ପିଆଜ ରସୁଣରେ ପ୍ରସ୍ତୁତ ହବିଷାନ୍ନ ଭକ୍ଷଣ କରି ବ୍ରତ ରଖିଥାନ୍ତି । ହିନ୍ଦୁ ବ୍ରାହ୍ମଣ ଘରର ବିଧବା ନାରୀମାନଙ୍କ ପାଇଁ ହବିଷ୍ୟ ପାଳନ କରିବା ଏକ ବିଧି । ପ୍ରତ୍ୟୁଷରୁ ସ୍ନାନ ଓ ଦେବ ଦର୍ଶନ ପରେ ହବିଷ୍ୟାଳୀମାନେ ଏକାଠି ହୋଇ ଚଉଁରା ମୂଳେ ରାଇ ଦାମୋଦରଙ୍କୁ ପୂଜା କରନ୍ତି । ତା ସହିତ କାର୍ତ୍ତିକ ମହାତ୍ମ୍ୟ ପଢ଼ନ୍ତି ଓ ଶ୍ରବଣ କରନ୍ତି । ସଂଧ୍ୟାରେ ଆକାଶଦୀପ ପ୍ରଜ୍ଜ୍ୱଳନ କାର୍ତ୍ତିକ ବ୍ରତର ଆଉ ଏକ ମହତ୍ୱପୂର୍ଣ୍ଣ ଅଙ୍ଗ । ଏହି ବ୍ରତ ପାଳନ ପାଇଁ ସାରା ଓଡ଼ିଶାର କୋଣ ଅନୁକୋଣରୁ ହିବଷ୍ୟାଳୀମାନେ ଆସି ଭୁବନେଶ୍ୱରରେ ବିନ୍ଦୁ ସାଗର ନିକଟରେ ତାଙ୍କର ବ୍ରତ ରଖିଥାନ୍ତି । ସେହିପରି ପବିତ୍ର ତୀର୍ଥକ୍ଷେତ୍ର ପୁରୀକୁ ବ୍ରତ ପାଇଁ ହବିଷ୍ୟାଳୀମାନେ ଧର୍ମୀୟ ମନୋଭାବ ନେଇ ଆସିଥାନ୍ତି । ହବିଷ୍ୟାଳୀମାନେ ଦୂରଦୂରାନ୍ତରୁ ଆସି ଥିବାରୁ ଓ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଓଡ଼ିଶା ରାଜ୍ୟ ସରକାର ଏମାନଙ୍କର ସୁବିଧା ପାଇଁ ଅସ୍ଥାୟୀ କ୍ୟାମ୍ପ ମାନ ସ୍ଥାପନ କରି ସୁବିଧା କରିଛନ୍ତି । କାର୍ତ୍ତିକରେ ଦୀପଦାନ : କାର୍ତ୍ତିକ ମାକାସରେ ଦୀପଦାନ ବେଶ୍ ମହତ୍ୱପୂର୍ଣ୍ଣ ଅଟେ । ଏହି ମାସରେ ପବିତ୍ର ନଦୀରେ ସ୍ନାନ କରି ନଦୀ ନିକଟସ୍ଥ ମନ୍ଦିରରେ ଦୀପଦାନ କରିବା ସହିତ ଆକାଶକୁ ମଧ୍ୟ ବିଭିନ୍ନ ବାଣ ରୋଷଣୀ ଛଡ଼ାଯାଇଥାଏ । ଏହି ଦୀପଦାନ କାର୍ଯ୍ୟଟି ଶରତ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିଥାଏ । ପିତୃପୁରୁଷଙ୍କୁ ପଥ ପ୍ରଦର୍ଶନ ଏବଂ ସେମାନଙ୍କ ଅନ୍ଧକାରଚ୍ଛନ୍ନ ପଥକୁ ଆଲୋକିତ କରିବା ସକାଶେ ସୁଉଚ୍ଚ ସ୍ଥାନରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଏ । ବିଶ୍ୱାସ ଅଛି ଯେ କାର୍ତ୍ତିକ ମାସରେ ଦୀପଦାନ କଲେ ଘରକୁ ଧନ ଆସେ । କାର୍ତ୍ତିକ ମାସରେ ଲକ୍ଷ୍ମୀଙ୍କୁ ଦୀପଦାନ କଲେ ମା'ଲକ୍ଷ୍ମୀ ଅନ୍ଧକାର ଦୂରକରି ଜୀବନକୁ ଆଲୋକିତ କରନ୍ତି । କାର୍ତ୍ତିକ ମାସରେ ମୃତ୍ୟୁ ବରଣ କଲେ ସ୍ୱର୍ଗପ୍ରାପ୍ତି ହୁଏ ବୋଲି ଲୋକବିଶ୍ୱାସ ରହିଛି । କାର୍ତ୍ତିକରେ ତୁଳସୀ ମହତ୍ୱ : କାର୍ତ୍ତିକ ବ୍ରତ ସମୟରେ ବ୍ରାହ୍ମ ମୁହୂର୍ତ୍ତରୁ ସ୍ନାନାଦି ସାରି ସୂର୍ଯ୍ୟଦେବଙ୍କୁ ଉପାସନା ଓ ତୁଳସୀ ଚଉଁରା ମୂଳେ ପାଣି ଚଢ଼ାଇଲେ ଅଶେଷ ପୁଣ୍ୟ ହୋଇଥାଏ । ଏକ ହଜାର ତୁଳସୀ ପତ୍ରରେ ଭଗବାନ ବିଷ୍ଣୁଙ୍କୁ ପୂଜା କଲେ ସେ ସନ୍ତୁଷ୍ଟ ହୋଇ ଅଶେଷ ବରଦାନ କରନ୍ତି ବୋଲି ବିଶ୍ୱାସ ଅଛି । ତୁଳସୀ ପତ୍ରକୁ ସେବନ କଲେ ଶରୀର ନିରୋଗ ରହେ । କାର୍ତ୍ତିକରେ ଦାନ : ଏହି ମାସରେ ଗରୀବଙ୍କୁ ଓ ବ୍ରାହ୍ମଣମାନଙ୍କୁ ଦାନ କଲେ ବିଶେଷ ପୁଣ୍ୟ ହୁଏ ବୋଲି ଲୋକ ବିଶ୍ୱାସ କରନ୍ତି । ବ୍ୟକ୍ତି କାର୍ତ୍ତିକ ମାସର ଦିନମାନଙ୍କରେ ତୁଳସୀ ଦାସ, ଅନ୍ନଦାନ, ଗୋଦାନ ଇତ୍ୟାଦି ଦାନ କଲେ ସର୍ବାଧିକ ପୂଣ୍ୟ ପ୍ରାପ୍ତ ହୁଏ । କାର୍ତ୍ତିକରେ ବାଣିଜ୍ୟ ଶୁଭାରମ୍ଭ : କାର୍ତ୍ତିକ ମାସରେ ବ୍ୟବସାୟର ଶୁଭାରମ୍ଭ କଲେ ବ୍ୟବସାୟ ପ୍ରତିଷ୍ଠିତ ହୁଏ ବୋଲି ବିଶ୍ୱାସ କରାଯାଏ । ଅତୀତରେ ଓଡ଼ିଆ ସାଧବ ପୁଅ କାର୍ତ୍ତିକ ପୂର୍ଣ୍ଣମୀରେ ବୋଇତ ବନ୍ଦାଣ କରି ବିଦେଶକୁ ବ୍ୟବସାୟ ପାଇଁ ଯାଉଥିଲେ ଓ ଫେରିଲା ବେଳକୁ ସାଥିରେ ଅପର୍ଯ୍ୟାପ୍ତ ଧନଦୌଲତ ଘେନି ଫେରୁଥିଲେ । ତେଣୁ ଏହି ପୂର୍ଣ୍ଣମୀ ଦିନ ସାଧବ ବୋହୂମାନେ ତାଙ୍କ ସ୍ୱାମୀମାନଙ୍କର ଶୁଭ ମନାସୀ ବୋଇତ ବନ୍ଦାଣ କରି ସ୍ୱାମୀମାନଙ୍କୁ ବ୍ୟବସାୟ ପାଇଁ ମେଲାଣି ଦେଉଥିଲେ । । ଯାହାକୁ ସ୍ମରଣୀୟ କରିବାକୁ ଆଜି ଆମ ଓଡ଼ିଶାର କଟକରେ ଗଡ଼ଗଡ଼ିଆ ଘାଟ ଓ ପାରାଦ୍ୱୀପରେ ବୋଇତ ବନ୍ଦାଣ ଉତ୍ସବରେ ପରିଣତ ହୋଇଛି । କାର୍ତ୍ତିକ ସୋମବାରରେ ହବିଷ୍ୟ ପାଳନ ପୂର୍ବକ ଆଶୁତୋଷଙ୍କୁ ପୂଜା କରାଯାଏ । ବିଶ୍ୱାସ ଅଛି ଯେ ଆଶୁତୋଷଙ୍କୁ ପୂଜା କଲେ, ରୋଗ, ଶୋକରୁ ମୁକ୍ତି ମିଳେ । କାର୍ତ୍ତିକ ପୂର୍ଣ୍ଣମୀ ଦିନ ଗଙ୍ଗାରେ ସ୍ନାନ ପରେ ଦୀପଦାନ କରି ହବିଷ ଭୋଜନ କଲେ ସବୁ କିଛି ସାଂସାରିକ ପାପତାପରୁ ମୁକ୍ତିମିଳେ । ଅନ୍ନ, ଧନ ଓ ବସ୍ତ୍ରଦାନ କଲେ ବେଶ୍ ପୁଣ୍ୟ ମିଳେ । ଶେଷରେ ବ୍ରତଧାରୀମାନେ ପୂର୍ଣ୍ଣମୀ ଦିନ ପୋଖରୀ ଓ ନଦୀରେ କଦଳୀ ପଟୁଆରେ ପାନଗୁଆ ଥୋଇ ଦୀପ ଜଳାଇ ବ୍ରତ ଭାଙ୍ଗିବା ପାଇଁ ଗାଇଥାନ୍ତି "ଆ କା ମା ବୈ, ପାନଗୁଆ ଥୋଇ, ପାନଗୁଆ ତୋର, ମାସକ ଧରମ ମୋର ।'
ଝରଣା ପଣ୍ଡା
No comments:
Post a Comment