Wednesday, October 10, 2018

ମହାଶକ୍ତି ଓ ନବଦୁର୍ଗା


ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ

"ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା, ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ' ଶକ୍ତି ଉପାସକଙ୍କ ଦୃଷ୍ଟିରେ ମହାଶକ୍ତି ହେଉଛନ୍ତି ପରବ୍ରହ୍ମ ପରମାତ୍ମା  । ସେ ସୃଜନ କରନ୍ତି, ପାଳନ କରନ୍ତି, ସଂହାର କରନ୍ତି  । ସେ ଆଦ୍ୟା ମହାଶକ୍ତି  । ତାଙ୍କର ସ୍ୱରୂପ ବିବିଧ  । ସେ ନବଦୁର୍ଗା, ଦଶ ମହାବିଦ୍ୟା, ଅନ୍ନପୂର୍ଣ୍ଣା, କାତ୍ୟାୟନୀ, ଲଳିତାମ୍ବା, ଗାୟତ୍ରୀ, ଭୁବନେଶ୍ୱରୀ, କାଳୀ, ତାରା, ବଗଳା  । ସେ ସଂହାର ପାଇଁ ମହାକାଳୀ, ବିଦ୍ୟା ଦାନ ପାଇଁ ସରସ୍ୱତୀ, ଧନ ପାଇଁ ମହାଲକ୍ଷ୍ମୀ  । ନବରାତ୍ରିର ପ୍ରଥମ ଦିନରେ ପୂଜା ପାଆନ୍ତି ଶୈଳପୁତ୍ରୀ  । "ଶୈଳ' ଅର୍ଥ ପାହାଡ଼ ଏବଂ "ପୁତ୍ରୀ' ଅର୍ଥ କନ୍ୟା  । ସେ ପାର୍ବତୀ ବା ହେମବତୀ ଭାବେ ମଧ୍ୟ ପରିଚିତ  । ଶୈଳପୁତ୍ରୀ ହେଉଛନ୍ତି ଶକ୍ତିଙ୍କ ପ୍ରଥମ ଅବତାର  । ଦ୍ୱିତୀୟ ଦିନରେ ପୂଜା ପାଆନ୍ତି ମା' ବ୍ରହ୍ମଚାରିଣୀ  । ତାଙ୍କର ଅନ୍ୟ ନାମଗୁଡ଼ିକ ହେଲା - ଉମା, ଅର୍ପର୍ଣ୍ଣା ଏବଂ ତପଶ୍ଚାରିଣୀ  । ବ୍ରହ୍ମଚାରିଣୀ ଅର୍ଥ ଚରମ ସତ୍ତାର ସାନିଧ୍ୟ ପାଇବା ଲାଗି ଯିଏ ସଦା ତପସ୍ୟାରତ  । ତୃତୀୟ ଦିବସରେ ଆରାଧନା କରାଯାଏ ମା' ଚନ୍ଦ୍ରଘଣ୍ଟାଙ୍କୁ  । ମଥାରେ ଅର୍ଦ୍ଧଚନ୍ଦ୍ରଙ୍କୁ ଧାରଣ କରୁଥିବା ହେତୁ ସେ ହେଲେ ଚନ୍ଦ୍ରଘଣ୍ଟା  । ଚତୁର୍ଥ ଦିବସରେ ଆବାହନ କରାଯାଏ ମା' କୁଷ୍ମାଣ୍ଡାଙ୍କୁ  । ସେ ଅଷ୍ଟଭୂଜା; ପୁଣି ସୃଷ୍ଟିକର୍ତ୍ତ୍ରୀ ସମଗ୍ର ବିଶ୍ୱ-ବ୍ରହ୍ମାଣ୍ଡର  । ପଞ୍ଚମ ଦିବସରେ ପୂଜା ପାଆନ୍ତି ସ୍କନ୍ଦ ମାତା  । ସେ ଦେବତାଙ୍କ ସେନାମୁଖ୍ୟ କାର୍ତ୍ତିକେୟ ବା ମୁରୁଗ ବା ସୁବ୍ରମଣ୍ୟ ବା ସ୍କନ୍ଦଙ୍କ ମାତା  । ତାଙ୍କୁ ପଦ୍ମାସନା ମଧ୍ୟ କୁହାଯାଏ  । ଷଷ୍ଠ ଦିବସରେ ପୂଜା ପାଆନ୍ତି ମାତା କାତ୍ୟାୟନୀ  । କାତ୍ୟମୁନିଙ୍କ କନ୍ୟା ଭାବେ ଜାତ ହୋଇଥିବାରୁ ସେ କାତ୍ୟାୟନୀ  । ସପ୍ତମ ଦିନରେ ଆସନ୍ତି ମା' କାଳରାତ୍ରି  । ତାଙ୍କୁ ମଧ୍ୟ କୁହାଯାଏ ଶୁଭଙ୍କରୀ  । ସେ ଯାବତୀୟ ଅଜ୍ଞାନତା ଏବଂ ଅନ୍ଧକାରର ଧ୍ୱଂସକର୍ତ୍ତ୍ରୀ  । ଅଷ୍ଟମ ଦିବସରେ ଆରାଧନା କରାଯାଏ ମା' ମହାଗୌରୀଙ୍କୁ  । ମହାଗୌରୀ ଅର୍ଥ ଯେ ବିଜୁଳି ପରି ଉଜ୍ଜ୍ୱଳ  । ନବମ ଦିବସରେ ପୂଜା ପାଆନ୍ତି ମା' ସିଦ୍ଧିଦାୟିନୀ  । ସେ ଜ୍ଞାନଦାତ୍ରୀ  । ବ୍ରହ୍ମଙ୍କୁ ଅନୁଭବ କରିବା ନିମନ୍ତେ ସେ ଦିବ୍ୟଜ୍ଞାନ ପ୍ରଦାନ କରିଥାନ୍ତି  । ଯୁଗାବତାର ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଜଗଜ୍ଜନନୀ ମା'ଦୁର୍ଗାଙ୍କର ପୂଜା ଉତ୍ସବରେ କହିଛନ୍ତି - ଭଗବତୀ ପୂଜା ମୁଁ କରେ, ତାର ଅର୍ଥ - ନିଜ ମା'ଙ୍କର ଉପାସନା କରେ, ଆଉ ଏହି ମାଆ ମୋର ଏପରି ଐଶ୍ୱର୍ଯ୍ୟଶାଳିନୀ-ଦଶ ପ୍ରହରଣୀ ଯାହାଙ୍କ ପାଖରେ ଅଚ୍ୟୁତ ଆନତି ହିଁ ମୋର ଦୁର୍ଗ, ସେହି ଆନତି ଭିତର ଦେଇ ଯେତେବେଳେ ମା'ଙ୍କ ଚରଣରେ ନିବେଦିତ ହୋଇ ସ୍ୱତଃ ସମ୍ବିତରେ, ସକ୍ରିୟତାରେ ସେତେବେଳେ ମା'ମୋର ଦୁର୍ଗତିନାଶିନୀ ଦୁର୍ଗା । ଦୁନିଆର ସବୁକିଛି ତାଙ୍କ ଠାରୁ ଉଦ୍ଭିନ୍ନ ହୋଇଉଠିଛି, ମା'ଙ୍କ ଠାରୁ ବାଦ୍ ଦିଆଯାଇପାରେ ଏପରି କିଛି ସମଗ୍ର ବିଶ୍ୱରେ ନାହିଁ । ଯାହାଙ୍କର ସମ୍ବର୍ଦ୍ଧନୀ ଉଦ୍ବେଳନରେ ବିଶ୍ୱ ପରିଭୃତ ହୋଇ ଜାଗି ଉଠେ ଏକ ନିର୍ବିଶେଷ ଚେତନାମୟୀ ଅଧ୍ୟାସ - ସେ ହିଁ ଜଗଦ୍ଧାତ୍ରୀ, କାଳୀ, ପୁଣି ଏହି ଏକକେନ୍ଦ୍ରିକ ନିବେଶ ହିଁ ମୋର ଏହି ମା', ଗର୍ଭଧାରିଣୀ-ଜନନୀ ଯାହାଙ୍କ ଠାରୁ ଉଦ୍ଭୁତ ହୋଇ ମୁଁ-ତ୍ୱ ଚେତନାରେ ସମ୍ବର୍ଦ୍ଧିତ ହୋଇଚାଲିଛି ରୂପରେ, ଗୁଣରେ, ସନ୍ତର୍ପଣରେ, ଚୁପହୋଇ ଅଚଳ ଚଳନରେ ସଚଳ ହୋଇ ନିରବିଚ୍ଛିନ୍ନତାରେ, ଆଉ ଏହା ଯେଉଁଠାରେ ସାଗ୍ନିକ, ସମ୍ବର୍ଦ୍ଧନୋଦୀପ୍ତ, ସେବାରେ ପରିରକ୍ଷଣାରେ, ପରିପୋଷଣରେ, ପରିପୂରଣ - ପରିଚେତନାରେ, ସ୍ୱତଃନିଷ୍ଠ - ଏହା ହିଁ ମା'ଙ୍କର ଜଗଜ୍ଜନନୀ ରୂପ । ଅନେକ ସ୍ଥାନରେ ଦୁର୍ଗାପୂଜାରେ ବଳିଦାନ କରାହୁଏ । ଯୁଗପୁରୁଷୋତ୍ତମ ଭଗବାନ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଏହି ବଳିଦାନକୁ ନିଷେଧ କରିଛନ୍ତି । ଯୁଗାବତାର ଭଗବାନ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କହିଲେ - ବଳି ଅର୍ଥ ଉର୍ତ୍ସଗ । ମା'ଙ୍କର ଚରଣରେ କାମନା - ବାସନା, କ୍ରୋଧ-ଲାଳସା ପ୍ରଭୃତି ବୃତ୍ତିଗୁଡ଼ିକୁ ଉତ୍ସର୍ଗ କରିବା ହିଁ ପ୍ରକୃତ ବଳିର ଅର୍ଥ । ବଳି ଶବ୍ଦ ଆସିଛି ବଲ୍ ଧାତୁ ଠାରୁ, ମାନେ ବର୍ଦ୍ଧନ । ମା'ଙ୍କର ପୂଜାରେ ଯେଉଁ ବଳି ହୁଏ ତା'ର ମାନେ ବର୍ଦ୍ଧନ, ବଳୀୟାନ ହୋଇ ଉଠିବା, ସମ୍ବର୍ଦ୍ଧିତ ହେବା, ସମସ୍ତ ରିପୁ ଗୁଡ଼ିକୁ ବିଶ୍ୱମାତାଙ୍କର ସେବାରେ ଉତ୍ସର୍ଗ କରି ବର୍ଦ୍ଧନ ପଥରେ ଆଗେଇବା ହେଉଛି ବଳିଦାନର ପ୍ରକୃତ ରହସ୍ୟ । ଶ୍ରୀ ଶ୍ରୀ ଠାକୁର ମା'ଦୁର୍ଗାଙ୍କୁ କେବେହେଲେ ମାଟିର ପ୍ରତିମା ହିସାବରେ ଦେଖିନାହାଁନ୍ତି । ପ୍ରତିମାରେ ଯାହାଙ୍କୁ ପୂଜା ହେଉଛି ସେ ହେଉଛନ୍ତି ପ୍ରତି ଘରେ ଘରେ ଦେହଧାରୀ ମା' । ନିଜ ମା'ଙ୍କ ଉପରେ ଭକ୍ତି ଓ ଭଲ ପାଇବା ଯେତେ ଜୀବନ୍ତ, ଦୁର୍ଗାପୂଜାର ସାର୍ଥକତା ତାଙ୍କ ପାଖରେ ସେତେ ବେଶୀ । ତାଙ୍କ ଅର୍ଥରେ ଭଗବତୀ ପୂଜା କରିବା ଅର୍ଥ ନିଜ ମା'ଙ୍କୁ ହିଁ ଉପାସନା କରିବା । ମା' କେବଳ ପୂଜାର ବେଦୀରେ ଦଶଭୁଜା ପ୍ରତିମା ନୁହଁନ୍ତି, ଘରେ ଘରେ ଜୀବନ୍ତ ଦ୍ୱିଭୁଜା ଜନନୀ । ଘରର ମା' ଓ ଜଗତର ମା'ଙ୍କର ଏକ ରୂପ । ଦଶଭୁଜା ଅର୍ଥ ହେଉଛି ଦୁଇ ହାତରେ ମା' ଦଶହାତର କାମ କରନ୍ତି । ମା'ଙ୍କର ଦଶହାତରେ ତ୍ରିଶୂଳ, ପାଶ, ପରଶୁ ଓ ଧନୁର୍ବାଣ ଇତ୍ୟାଦି ଦଶ ପ୍ରକାର ଅସ୍ତ୍ର ରହିଛି । ତେଣୁ ମା'ହେଉଛନ୍ତି ଦଶପ୍ରହର ଧାରିଣୀ । ଏହି ଅସ୍ତ୍ର ହେଉଛି ମାତୃ ଐଶ୍ୱର୍ଯ୍ୟର ବିଭିନ୍ନ ଶକ୍ତି ଯାହାଦ୍ୱାରା ମା' ଅସତ୍ ବା ଅସୁରଶକ୍ତିକୁ ପରାଭୂତ ଓ ପ୍ରତିହତ କରନ୍ତି ସ୍ୱୀୟ ସନ୍ତାନକୁ ରକ୍ଷା କରିବା ପାଇଁ । ମା'ଦୁର୍ଗତି ନାଶିନୀ ହୋଇ ଦଶପ୍ରହରଣ ଧାରଣ କରି ସନ୍ତାନ ସଂରକ୍ଷଣରେ ନିୟୋଜିତା । ଠାକୁର ଅନୁକୂଳଚନ୍ଦ୍ର ବିଜୟା ଉପଲକ୍ଷେ ପ୍ରଦତ୍ତ ବାଣୀରେ କହିଛନ୍ତି - ଏହି ମା'ମୋର ଐଶ୍ୱର୍ଯ୍ୟଶାଳିନୀ, ଦଶପ୍ରହରଣୀ ଯାହାଙ୍କ ପାଖରେ ଅଚ୍ୟୁତ ଆନତି ହିଁ ମୋର ଦୁର୍ଗ, ସେହି ଆନତି ଭିତର ଦେଇ ଯେତେବେଳେ ମା'ଙ୍କ ଚରଣରେ ମୁଁ ଆନତ ହୁଏ ସ୍ୱତଃସମ୍ବିତ ଓ ସକ୍ରିୟତାରେ ସେତେବେଳେ ମା'ମୋର ଦୁର୍ଗତିନାଶିନୀ ଦୁର୍ଗ । ମା'ସିଂହବାହିନୀ । ମହାପରାକ୍ରମୀ ପଶୁରାଜର ପୃଷ୍ଠରେ ମା'ଙ୍କର ଚରଣ ନ୍ୟସ୍ତ, ତାର ଅର୍ଥ ପଶୁଭାବର ଉପରେ ମାତୃଭାବର ପ୍ରତିଷ୍ଠା । ମା'ଦୁର୍ଗାଙ୍କ ଧ୍ୟାନମନ୍ତ୍ରରେ ମଧ୍ୟ ଅଛି ତାଙ୍କର ଅଷ୍ଟଶକ୍ତିର କଥା - ଉଗ୍ରଚଣ୍ଡା, ପ୍ରଚଣ୍ଡା, ଚଣ୍ଡୋଗ୍ରା, ଚଣ୍ଡନାୟିକା, ଚଣ୍ଡା, ଚଣ୍ଡବତୀ, ଚଣ୍ଡରୂପା ଓ ଅତି ଚଣ୍ଡିକା । ମା'ହେଉଛନ୍ତି ଶିବଙ୍କ ଘରଣୀ - ଶିବାନୀ ଅର୍ଥାତ୍ ମଙ୍ଗଳବିଧାୟିନୀ । ମା'ସବୁ ସନ୍ତାନଙ୍କର ମଙ୍ଗଳ କାମନା କରନ୍ତି । ସମସ୍ତଙ୍କୁ କୋଳରେ ଧରନ୍ତି । ତେଣୁ ତାଙ୍କର ଅନ୍ୟ ନାମ ଜଗଦ୍ଧାତ୍ରୀ । ଦୁନିଆର ସବୁକିଛି ଓ ସମସ୍ତଙ୍କୁ ନେଇ ମା'ହେଉଛନ୍ତି ମହାମାୟା, ବିଶ୍ୱପ୍ରସବିନୀ ଓ ବିଶ୍ୱ ପରିବ୍ୟାପ୍ତା । ତାଙ୍କର ସ୍ତୁତିରେ ତାଙ୍କୁ କ୍ଷମାରୂପେ, ନିଦ୍ରା ରୂପେ, କ୍ଷୁଧାରୂପେ, ତୃଷ୍ଣାରୂପେ, ଶକ୍ତିରୂପେ, ଲଜ୍ଜାରୂପେ, ଶାନ୍ତିରୂପେ ଓ ଶ୍ରଦ୍ଧାରୂପେ ପୂଜା କରାଯାଏ । ପରମା ପ୍ରକୃତି ସେ । ପ୍ରକୃଷ୍ଟ ଭାବେ ଯାହା କରା ହୋଇଅଛି ତାହା ହିଁ ପ୍ରକୃତି । ମା'ଦୁର୍ଗା ଅନେକ ନାମରେ ପରିଚିତା ।ତାଙ୍କର ପ୍ରତି ଗୁଣ ଓ ବୈଶିଷ୍ଟ୍ୟର ଏକ ଏକ ନାମ ହୋଇଛି । ଯଥା ନାରାୟଣୀ, ଭଦ୍ରକାଳୀ, ହୈମବତୀ, ଈଶ୍ୱରୀ, ବୈଷ୍ଣବୀ ଓ ମାହେଶ୍ୱରୀ ପ୍ରଭୃତି । ଶ୍ରୀ ଶ୍ରୀ ଠାକୁର କହିଲେ - ଭାବ ନାହିଁ, ମା'ଙ୍କୁ ବିଜୟା ଦଶମୀରେ ବିସର୍ଜ୍ଜନ ଦେଇଛ, ବରଂ ଭାବ, ଏହି ଦଶଭୁଜା, ଦଶପ୍ରହରଣ ଧାରିଣୀ, ଅସୁରଦଳନୀ ମା' ତୁମ ଠାରେ ଉତ୍ସୃଜିତ ହୋଇ ଜୀବନ୍ତ ଦୀପ୍ତିରେ ତୁମ ଜୀବନରେ ଜୀବନ୍ତ ହୋଇଉଠିଛନ୍ତି । ବିଜୟା ମା'ଙ୍କର ବିଲୟ ନୁହେଁ, ବିସର୍ଜ୍ଜନମାନେ ହେଉଛି ବିଶେଷ ବିସୃଷ୍ଟି । ସହ-ପ୍ରତିଋତ୍ୱିକ, ପ୍ରଫେସର, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ, ଦୂରଭାଷ : ୯୪୩୭୦୫୧୯୫୭

No comments:

Post a Comment